ରାଞ୍ଚି,୨୮।୭: ସାଧାରଣତଃ ଜେଲ ଯାଉ ଯାଉ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ଦେହ ଖରାପ ହୋଇଯାଇଥିବା ଦେଖାଯାଏ। ଏହି କ୍ରମରେ ଯଦି ରାଞ୍ଚିର ବିର୍ଶା ମୁଣ୍ଡା ଜେଲ କଥା ବିଚାରକୁ ନିଆଯାଏ ତେବେ ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ଡଜନେ ଭିଆଇପି ଜେଲ ଯିବା ପରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କଥା ଯଦି ବିଚାରକୁ ନିଆଯାଏ ତେବେ ଦେଖାଯାଇଛି କି ୭୧ ବର୍ଷୀୟ ଲାଲୁ ଗତ ୧୯ ମାସ ମଧ୍ୟରେ ୧୭ ମାସ ହସ୍ପିଟାଲରେ କାଟି ସାରିଲେଣି। ଏବେବି ସେ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସ୍ସ(ରିମ୍ସ)ରେ ଭର୍ତ୍ତି ଅଛନ୍ତି। ସେ ସେଠାରେ ପେଇଂ ବୋର୍ଡରେ ଥିବା ବେଳେ ତାଙ୍କର ସୁରକ୍ଷା ପଇଁ ପ୍ରାୟ ୪୨ ଜଣ ପୋଲିସ ନିୟୋଜିତ ଅଛନ୍ତି। ଯେପର୍ଯ୍ୟନ୍ତ ମଡିକାଲ ପକ୍ଷରୁ ଲାଲୁଙ୍କ ସ୍ବାସ୍ଥ୍ୟ ଠିକ୍ ବୋଲି ଦର୍ଶାଯାଇ ନାହିଁ ସେପର୍ଯ୍ୟନ୍ତ ତାଙ୍କୁ ଜେଲ୍ ସ୍ଥାନାନ୍ତର କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଇନସପେକ୍ଟର ଜେନରାଲ ବୀରେନ୍ଦ୍ର ଭୂଷଣ। ୨୦୧୭ ଡିସେମ୍ବର ୨୩ରେ ପ୍ରାୟ ୩ଟି ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଜେଲ ଯାଇଥିଲେ। ହେଲେ ଏହାପରଠାରୁ ସେ ପ୍ରଥମେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ପୁଅ ବିବାହ ପାଇଁ ପାରୋଲ ମିଳିଯାଇଥିଲା। ଏହାପରେ ପୁଣିଥରେ ଦେହ ଖରାପ ହେବାରୁ ତାଙ୍କୁ ରିମ୍ସରେ ଭର୍ତ୍ତି କରାଯାଇଥିଲା। ଏପର୍ଯ୍ୟନ୍ତ ସେ ରିମ୍ସରେ ହିଁ ଚିକିତ୍ସିତ ହେଉଛନ୍ତି। ଆଉ ଏଠାରେ ତାଙ୍କୁ ଏୟାର କଣ୍ଡିଶନର ସହ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। କେବଳ ଲାଲୁ ପ୍ରସାଦ ଯାଦବ ନୁହେଁ ଏହା ପୂର୍ବର ୨୦୧୦-୧୨ରେ ପୂର୍ବତନ ମନ୍ତ୍ରୀ କମଲେଶ ସିଂହ, ଏନୋସ ଏକ୍କା, ଭାନୁ ପ୍ରତାପ ସାହି, ମଧୁ କୋଡା, ଚନ୍ଦ୍ରଶେଖର ଦୁବେଙ୍କ ଭଳି ଅନ୍ୟ କେତେଜଣ ନେତା ମଧ୍ୟ ଜେଲ ଅପେକ୍ଷା ବାହାରେ ହସ୍ପିଟାଲରେ ଅଧିକ ସମୟ କାଟିଥିଲେ।