Categories: ଗଞ୍ଜାମ

୧୯ ଲକ୍ଷ ଟଙ୍କାର ହିସାବ ନ ଦେବାରୁ ପ୍ରଧାନଶିକ୍ଷକ ନିଲମ୍ବିତ

କବିସୂର୍ଯ୍ୟନଗର,୨୬ା୬-ବିଦ୍ୟାଳୟର ଉନ୍ନତିମୂଳକ ଖର୍ଚ୍ଚ ପାଇଁ ଆସିଥିବା ୧୯ ଲକ୍ଷ ଟଙ୍କାର ହିସାବ ଦେଇ ନ ଥିବାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଘବ ସେଠୀ ନିଲମ୍ବିତ ହୋଇଛନ୍ତି। ସ୍ଥାନୀୟ ବିଇଓ ନିରଞ୍ଜନ ମିଶ୍ର ତାଙ୍କୁ ନିଲମ୍ବନ କରିଛନ୍ତି। ସେଠୀ ୨୦୧୩-୨୦୧୭ ପର୍ଯ୍ୟନ୍ତ ଓସିଙ୍ଗି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ ଜୁଲାଇ ୧୮ ତାରିଖରେ ବଦଳି ହୋଇ ଏନଏସିସ୍ଥିତ ଗୌଡ଼ସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ। କିନ୍ତୁ ବଦଳି ପରେ ବି ଓସିଙ୍ଗି ସ୍କୁଲର ଯାବତୀୟ ଖର୍ଚ୍ଚର ହିସାବ, କ୍ୟାଶ୍‌ବୁକ, ପାସବୁକ ଆଦି ହସ୍ତାନ୍ତର କରିନଥିଲେ। ବିଦ୍ୟାଳୟ ମରାମତି, କୋଠା ନିର୍ମାଣ, ପାଇଖାନା, ରୋଷେଇ ଘର ଓ ମଧ୍ୟାହ୍ନ ଭୋଜନ ବାବଦକୁ ଆସିଥିବା ଅନୁଦାନ ଓ ଖର୍ଚ୍ଚ ହିସାବ ଦେଇ ନ ଥିବା ଜାଣି ବିଇଓ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ମାତ୍ର ଠିକ୍‌ ଉତ୍ତର ଦେଇପାରି ନ ଥିଲେ ପ୍ରଧାନଶିକ୍ଷକ। ଏଣୁ ତାଙ୍କୁ ନିଲମ୍ବନ କରାଗଲା ବୋଲି ବିଇଓ କହିଛନ୍ତି।