୧ ନଂ ହାଟ ସିଲ କଲା ବିଏମ୍‌ସି

ଭୁବନେଶ୍ୱର, ୧୨ା୬(ବ୍ୟୁରୋ)-ରଜ ପାଇଁ ରାଜଧାନୀର ବିଭିନ୍ନ ଡ୍ରେସ୍‌ ଓ ଶାଢ଼ି ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଗୁରୁବାର ଭଳି ଶୁକ୍ରବାର ମଧ୍ୟ ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂ, ରାଜମହଲ, ନୟାପଲ୍ଲୀ, ଶହୀଦନଗର ଆଦି ପ୍ରମୁଖ ଅଞ୍ଚଳର ଡ୍ରେସ୍‌ ଓ ଶାଢ଼ି ଶୋ’ରୁମ୍‌ଗୁଡ଼ିକରେ ପ୍ରବଳ ଗହଳି ଲାଗିଥିଲା। ୧ ନମ୍ବର ହାଟ ଓ ରସୁଲଗଡ଼ର କୋଚିଲେଇ ହାଟରେ ମଧ୍ୟ ଗହଳି ହୋଇଥିଲା। ଲୋକେ କରୋନା କଟକଣାକୁ ଭୁଲି କିଣାକିଣିରେ ବ୍ୟସ୍ତ ଥିଲେ। ସାମାଜିକ ଦୂରତ୍ୱ ଉଲ୍ଲଂଘନ ହେଉଥିବାବେଳେ ଅନେକଙ୍କ ମୁହଁରେ ମାସ୍କ ନ ଥିଲା। ସେହିପରି ବ୍ୟବସାୟୀମାନେ ମଧ୍ୟ କଟକଣା ଓ ନିୟମକାନୁନକୁ ଯେମିତି ଭୁଲିଯାଇଥିଲେ। ଏଭଳି ସ୍ଥିତି ଦେଖିବା ପରେ ବିଏମ୍‌ସି ପକ୍ଷରୁ ସିଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ୧ ନମ୍ବର ହାଟ, ୟୁନିଟ୍‌ ୨ ମାର୍କେଟ ବିଲ୍ଡିଂ ସମେତ ସହରର ୨୦ରୁ ଊର୍ଦ୍ଧ୍ୱ ଦୋକାନ ଓ ମଲ୍‌କୁ ସିଲ୍‌ କରାଯାଇଛି। ଅନ୍ୟପକ୍ଷରେ ଶନିବାର ଓ ରବିବାର ଶଟ୍‌ଡାଉନ ଥିବାରୁ ଭୁବନେଶ୍ୱରର ସମସ୍ତ ଦୋକାନବଜାର ବନ୍ଦ ରହିବ।

Share