Categories: ଜାତୀୟ

୧ ଲକ୍ଷ ଝିଅଙ୍କ ବିବାହ କରାଇବେ ଯୋଗୀ ସରକାର

ଲକ୍ଷ୍ନୌ,୬।୭: ସାମୁହିକ ବିବାହ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷେ ଗରିବ ଝିଅଙ୍କ ବିବାହ କରିବାକୁ ସ୍ଥିର କରିଛନ୍ତି। ତେବେ ଏହି ବିବାହକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ସୂଚନା ମିଳିଛି। ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ବିବାହ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିବାହ ମୁହୂର୍ତ୍ତକୁ ଦେଖି ୪ଟି ତିଥି ସ୍ଥିର କରାଯିବ। ସମାଜ କଲ୍ୟାଣ ବିଭାଗ ୨୦୧୯-୨୦ ବର୍ଷରେ ଏକ ଲକ୍ଷ ଯୋଡିଙ୍କ ବିବାହ କରିବାକୁ ଲକ୍ଷ୍ୟ ରଖିଛି। ଏହାର ମୁଖ୍ୟ ସଚିବ ମନୋଜ କୁମାରଙ୍କ ତରଫରୁ ଫିଲ୍ଡ ଅଫିସରମାନଙ୍କୁ ଏହାର ସୂଚନା ଦିଆଯାଇଛି। ସମସ୍ତ ଜିଲାଧିକାରୀଙ୍କୁ ଏହା ଉପରେ ବିଶେଷ ଦୃଷ୍ଟି ଦେଇ ଆୟୋଜନକୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଜିଲାରୁ ଅବିବାହିତ ଗରିବ ଝିଅଙ୍କ ସମ୍ପର୍କରେ ରିପୋର୍ଟ ମଗାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଏହି ସାମୁହିକ ବିବାହରେ ଯୋଗୀ ସରକାର ଗୋଟିଏ ବିବାହ ପାଇଁ ୩୫ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ ୫୧ ହଜାର କରାଯାଇଛି। ତେବେ ଗତବର୍ଷ ଫେବୃୟାରୀ ୯ରେ ସାମୁହିକ ବିବାହ ମାଧ୍ୟମରେ ୧୦ ହଜାର ଗରିବ ଝିଅଙ୍କ ବିବାହ ଲକ୍ଷ୍ୟ ରଖାଯାଇଥିବା ବେଳେ ଶେଷ ବେଳକୁ କିନ୍ତୁ ୧୫ ହଜାର ଯୋଡାଙ୍କର ବିବାହ କରାଯାଇଥିଲା। ଏଥର ଏହି ସାମୁହିକ ବିବାହରେ ଯୋଗୀ ସରକାରଙ୍କର ସମସ୍ତ ମନ୍ତ୍ରୀ, ଏମ୍‌ପି ଓ ବିଧାୟକ ଯୋଗ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Share