୧ ଲକ୍ଷ ଦସ୍ତଖତ ଲାଗି ଅଭିଯାନ ଆରମ୍ଭ: ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ପ୍ରୟାସ

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଛନ୍ତି। ଏହି ପ୍ରସ୍ତାବକୁ ସମର୍ଥନ କରି ରାଜ୍ୟ ସ୍ବାଧୀନତା ସଂଗ୍ରାମ ସମିତି ଓ ବିଭିନ୍ନ ଗାନ୍ଧୀବାଦୀ ସଙ୍ଗଠନ ପକ୍ଷରୁ ଅହିଂସା ଲାଗି ୧ ଲକ୍ଷ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରାଯାଇଛି। ଶୁକ୍ରବାର କ୍ରାନ୍ତିଦିବସଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଏହା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହାତରେ ଦିଆଯିବ। ରାଜ୍ୟ ସଂଗ୍ରହାଳୟ ସମ୍ମୁଖ ଶହୀଦ ସ୍ମୃତିସ୍ତମ୍ଭ ନିକଟରେ ଆୟୋଜିତ ସମାରୋହରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ପ୍ରଥମେ ଦସ୍ତଖତ କରି ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ଏମ୍‌ପି ଭର୍ତ୍ତୃହରି ମହତାବ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ପ୍ରଦୀପ କୁମାର ଅମାତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ଦେବୀ ପ୍ରସାଦ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଜେଡି ଭୁବନେଶ୍ୱର ଜିଲା ସଭାପତି ଅମରେଶ ଜେନା ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇ ନିଜର ଦସ୍ତଖତ ପ୍ରଦାନ କରିଛନ୍ତି। ରାଜ୍ୟର ସବୁ ଅଞ୍ଚଳରୁ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀତ କରିବା ଲାଗି ଏହି ଦସ୍ତଖତ ଅଭିଯାନକୁ ଆରମ୍ଭ କରାଯାଇଛି ବୋଲି ଆବାହକ ଉପେନ୍ଦ୍ର ପାଢୀ ଓ ବିରୂପାକ୍ଷ ତ୍ରିପାଠୀ କହିଛନ୍ତି।

Share