Categories: ବାଣିଜ୍ୟ

୧.୫ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୧୧।୪: କରୋନା ଯୋଗୁ ନିଯୁକ୍ତି କ୍ଷେତ୍ର ଉପରେ ଏବେ ନକାରାତ୍ମକ ପ୍ରଭାବ ରହିଛି। ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଥିବାରୁ ରପ୍ତାନି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୧.୫ କୋଟି ନିଯୁକ୍ତି ଉପରେ ଏବେ କଳାବାଦଲ ଛାଇ ହୋଇ ରହିଛି। ଫେଡେରେଶନ ଅଫ୍‌ ଇଣ୍ଡିଆନ ଏକ୍ସପୋଟର୍ସ ଅର୍ଗାନାଇଜେଶନ (ଏଫ୍‌ଆଇଇଓ) ମୁତାବକ ଦେଶର ରପ୍ତାନି କ୍ଷେତ୍ର ଉପରେ କରୋନାର ପ୍ରଭାବ ଏବେ କାରବାରକୁ କ୍ଷତିଗ୍ରସ୍ତ କରିଛି। ଏହି କ୍ଷେତ୍ରରେ ଅନାଦାୟ ଋଣ ବା ଏନ୍‌ପିଏ ବଢ଼ିବା ଆଶଙ୍କା କରାଯାଇଛି। ଏବେ ଅଧାରୁ ଅଧିକ ଅର୍ଡର ରଦ୍ଦ ହେଉଥିବା ସଂଘର ଅଧ୍ୟକ୍ଷ ଶରଦ କୁମାର ସରାଫ ସୂଚନା ଦେଇଛନ୍ତି। ଭାରତ ସମେତ ବିଶ୍ୱ ବଜାରର ସ୍ଥିତି ଏବେ ବିଗିଡିଥିବାରୁ ଅନେକ ଲୋକଙ୍କ ଚାକିରି ଉପରେ ଏହା ନକାରାତ୍ମକ ପ୍ରଭାବ ରହିଛି।
ସରକାର ଏହି କ୍ଷେତ୍ର ଲାଗି ଆଶ୍ୱସ୍ତି ପ୍ୟାକେଜ ପ୍ରଦାନ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ସରକାର ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କଲେ ଏହା କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା ଦିଗରେ ସହାୟକ ହୋଇପାରିବ ବୋଲି ସରାଫ ମତବ୍ୟକ୍ତ କରିଛନ୍ତି। ଏବେ ୫୦% ଅର୍ଡର ବାତିଲ ହୋଇଛି। ଏଭଳି ସ୍ଥିତିରେ କପଡା ଏବଂ ଚମଡା ଉଦ୍ୟୋଗ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସେ ମତବ୍ୟକ୍ତ କରିଛନ୍ତି।

Share