Categories: ବାଣିଜ୍ୟ

୧.୭୫ ଲକ୍ଷ କମ୍ପାନୀ,ବ୍ୟକ୍ତି କାଢ଼ିଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍‌( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ। କଳାଧନ କାରବାରକୁ ରୋକିବା ଲାଗି ବଜେଟରେ ଏଭଳି ବ୍ୟବସ୍ଥା ଘୋଷଣା କରାଯାଇଛି। ୨୦୧୭-୧୮ରେ ୧.୭୫ ଲକ୍ଷ ବ୍ୟକ୍ତିବିଶେଷ,କମ୍ପାନୀ ଓ ସଂସ୍ଥା ୧ କୋଟି ଟଙ୍କାରୁ ଅଧିକ ଉଠାଇଛନ୍ତି। ଏଥିରୁ କେତେକ ଅଂଶ ଆଇନସମ୍ମତ ଭାବେ ଉଠାଯାଇଛି। ଅବଶିଷ୍ଟ ଉଠାଣ ବେଆଇନ କୁହାଯାଇପାରେ। ଏଟିଏମ୍‌ ପରିଚାଳନା କରୁଥିବା କମ୍ପାନୀ, ବ୍ୟବସାୟୀ ଆଦିଙ୍କ ଉଠାଣ ବୈଧ। ଅବଶିଷ୍ଟ ଉଠାଣ ବେଳେ ଜାଲିଆତିର ପ୍ରମାଣ ମିଳିଛି। ଏପରିକି ଉଠାଣ ବେଳେ ଦିଆଯାଇଥିବା ପାନ୍‌ ନମ୍ବର ଜାଲ୍‌ ବୋଲି ଜଣାପଡିଛି। ଏବେ ଟିଡିଏସ୍‌ ଲାଗୁ କରି ସରକାର ଆଶାକରୁଛନ୍ତି ଯେ, ଏଭଳି ଲୋକ, ଫାର୍ମ ଉପର ନଜର ରଖାଯାଇପାରିବ ଓ ସେମାନେ ପାନ୍‌ ତିଆରି କରିବାକୁ ବାଧ୍ୟ ହେବେ। କାରଣ ଆଡଭାନ୍ସ ଟିକସ ପ୍ରଦାନ ବେଳେ ଏହାକୁ ଦର୍ଶାଇବାକୁ ପଡିବ। ମିଡିଆ ରିପୋର୍ଟ ଅନୁଯାୟୀ, ଆଲୋଚ୍ୟ ବର୍ଷରେ ୫୦୦ ଏଣ୍ଟିଟି ଏପରି ଅଛନ୍ତି ଯିଏକି ନିଜ ଆକାଉଣ୍ଟରୁ ୧୦୦ କୋଟି ଟଙ୍କାରୁ ଅଧିକ ନଗଦ ଉଠାଇଛନ୍ତି। ସରକାର ନଗଦ କାରବାରକୁ କମାଇ ଡିଜିଟାଲ ଟ୍ରାଞ୍ଜାକସନକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ନଗଦ ଉଠାଣ ଉପରେ ଟିଡିଏସ୍‌ ଆଦାୟ ନିଷ୍ପତ୍ତି ନିଆଯାଇଛି।

Share