୨ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ: ୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର, ୩।୯(ବ୍ୟୁରୋ):ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ରବିବାର ରାତିରୁ ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ସର୍ବାଧିକ ୭୪ମିମି ବର୍ଷା ହୋଇଥିବା ବେଳେ ସୋନପୁର ୫୫, କୋରାପୁଟ ୪୫.୮, ଦାରିଙ୍ଗବାଡ଼ିରେ ୪୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ସୋମବାର ସୁଦ୍ଧା ସାଢ଼େ ୫ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୨୨ମିଲିମିଟର ବର୍ଷା ହୋଇଥିବା ବେଳେ କେନ୍ଦୁଝର ୧୩.୧, ମାଲକାନଗିରି ୭.୬, ଚାନ୍ଦବାଲି ୪.୯, ବାଲେଶ୍ୱର ୩.୧, ପାରାଦୀପ ୨.୩, ଭବାନିପାଟଣା ଓ ଟିଟଲାଗଡ଼ରେ ୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହାଛଡ଼ା ସୋମବାର କଳାହାଣ୍ଡି, କନ୍ଧମାଳ, ପୁୁରୀ, ନବରଙ୍ଗପୁର, ରାୟଗଡ଼ା, ଜଗତସିଂହପୁର, କଟକ, ସମ୍ବଲପୁର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବୌଦ୍ଧ, ଗଞ୍ଜାମ ଆଦି ଜିଲାର କିଛିି ସ୍ଥାନରେ ମଧ୍ୟ ବର୍ଷା ହୋଇଥିବା ସୂଚନା ରହିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏହାପରେ ୬ରୁ ପୁଣି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଆଦି ୬ଟି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାଛଡ଼ା ଢେଙ୍କାନାଳ, ମୟୂରଭଞ୍ଜ, ଦେବଗଡ଼, ସୋନପୁର, ବଲାଙ୍ଗୀର, କୋରାପୁଟ, ନବରଙ୍ଗୁପର, ଗଜପତି ଆଦି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର କଟକ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର, ବଲାଙ୍ଗୀର ଆଦି ୮ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏସବୁ ଜିଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେବେ ୫ତାରିଖ ଦିନ ବର୍ଷା ହେବାର କୌଣସି ସୂଚନା ମିଳିନାହିଁ। ୬ତାରିଖ ଦିନ ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ୮ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ନିଂ ଜାରି କରିଛି। ଉକ୍ତ ଦିନ ଏହି ସମସ୍ତ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।

Share