୨ରୁ ଊର୍ଦ୍ଧ୍ୱ ଆଇନଜୀବୀ ନ ରହିବା ଉପରେ ରହିତାଦେଶ

କଟକ ଅଫିସ,୧୪ା୧: କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣିବେଳେ ୨ରୁ ଊର୍ଦ୍ଧ୍ୱ ଆଇନଜୀବୀ ନ ରହିବା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହ ହାଇକୋର୍ଟ ଅନୁଭବଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ କେ. ଆର୍‌. ମହାପାତ୍ରଙ୍କ ଖଣ୍ଡପୀଠ ଅନୁଭବଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଲଳିତେନ୍ଦୁ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଆସନ୍ତା ଫେବୃୟାରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବର୍ଷା-ଅନୁଭବଙ୍କ ଛାଡ଼ପତ୍ର ମାମଲାର ଶୁଣାଣିବେଳେ ପରିବାର ଅଦାଲତରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ବର୍ଷାଙ୍କୁ ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଜେରା କରୁଥିଲେ। ସାକ୍ଷ୍ୟ ଗ୍ରହଣବେଳେ ଉଭୟ ପକ୍ଷର ୨ରୁ ଊର୍ଦ୍ଧ୍ୱ ଆଇନଜୀବୀ ଅଦାଲତରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ପରିବାର ଅଦାଲତ ଗତ ନଭେମ୍ବର ୩ରେ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ଅନୁଭବଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି।

Share