୨ରୁ ମିଶନ ଇନ୍ଦ୍ରଧନୁଷ: ଶତ ପ୍ରତିଶତ ଟିକାକରଣ ନିର୍ଦ୍ଦେଶ

ଭୁବନେଶ୍ୱର, ୧ା୧୨(ବ୍ୟୁରୋ): ଆସନ୍ତା ୨ ତାରିଖରୁ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ‘ମିଶନ ଇନ୍ଦ୍ରଧନୁଷ୍‌-୨’ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ୬ ଜିଲା ଯଥା ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ଢେଙ୍କାନାଳ ଓ ରାୟଗଡ଼ାରେ ଟିକାକରଣ କରାଯିବ। ଏ ନେଇ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମୀକ୍ଷା କରିଛନ୍ତି। ଏ ସମସ୍ତ ଜିଲାର ଜିଲାପାଳ, ସିଡିଏମ୍‌ଓ ଏବଂ ଅନ୍ୟ ପଦାଧିକାରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି। ଜିଲାର ସମସ୍ତ ଗ୍ରାମ, ପଡ଼ା ଓ ବସ୍ତିଗୁଡ଼ିକରେ ଥିବା ପିଲା ଏବଂ ଗର୍ଭବତୀ ମହିଳାଙ୍କ ସମେତ ପୂର୍ବଥର ଟିକାକରଣରୁ ବାଦ୍‌ ପଡ଼ିଥିବା ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ କୁହାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଶତ ପ୍ରତିଶତ ଟିକାକରଣ କରିବାକୁ ସଚିବ ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି।

ତାଙ୍କ ସୂଚନାନୁସାରେ, ମୋଟ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ କରାଯାଇ ଅନ୍ୟ ସମସ୍ତ ଜିଲାକୁ ଅନ୍ତର୍ଭୁକ୍ତ କରାଯିବ। ମିଶନ ଇନ୍ଦ୍ରଧନୁଷ-୨ର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ୨୦୨୦ ଜାନୁୟାରୀ ୬ରୁ ଆରମ୍ଭ ହେବ। ସେହିଭଳି ଫେବୃୟାରୀ ୩ରେ ତୃତୀୟ ଓ ମାର୍ଚ୍ଚ ୨ରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ କରାଯିବ। ଅଭିଜ୍ଞତା ଆଧାରରେ ଏହି ମିଶନର ସଫଳତା ଲାଗି ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଜିଲା ସ୍ତରରେ ତାଲିମ ଦିଆଯିବ। ଟିକାଦାନ ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହିତ ସେମାନେ ଯେଭଳି ସମସ୍ତେ ଟିକା ନେବେ ସେଥିପାଇଁ ସ୍ବାସ୍ଥ୍ୟକର୍ମୀମାନେ ତୃଣମୂଳ ସ୍ତରରେ ଉଦ୍ୟମ କରିବେ। ଦୁଇବର୍ଷରୁ କମ୍‌ ବୟସର ଶିଶୁ ଓ ଗର୍ଭବତୀ ମହିଳା ଯେଭଳି ନିଶ୍ଚିତ ଭାବେ ଟିକା ନେବେ ତାହା ଉପରେ ଶାଳିନୀ ପଣ୍ଡିତ ସର୍ବାଧିକ ଗୁରୁତ୍ୱରୋପ କରିଛନ୍ତି। ଜିଲାରେ ଥିବା ସମସ୍ତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ମିଶନ ଇନ୍ଦ୍ରଧନୁଷ୍‌-୨ ରେ ସାମିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତଙ୍କୁ ଟିକାକରଣ ପାଇଁ ସ୍ବାସ୍ଥ୍ୟ ମିଶନ ତରଫରୁ ଅଫିସରଙ୍କ ଲାଗି ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଟିକାଦାନ ପାଇଁ ଯୋଗ୍ୟ ବିବେଚିତଙ୍କୁ ଚିହ୍ନଟ ସହିତ ସେମାନଙ୍କର ସମସ୍ତ ସୂଚନା ମିଶନ ଇନ୍ଦ୍ରଧନୁଷ୍‌ ପୋର୍ଟାଲରେ ଅପଲୋଡ୍‌ କରିବା ପାଇଁ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

Share