୨ରେ ଲଘୁଚାପ, ଅଧିକ ବର୍ଷିବ ନାହିଁ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଦକ୍ଷିଣ ଚାଇନା ସମୁଦ୍ରରେ ଏକ ଝଡ ସୃଷ୍ଟି ହେଉଥିବାରୁ ଲଘୁଚାପର ପ୍ରଭାବ ସେତେଟା ରହିବ ନାହିଁ। ଆସନ୍ତା ସପ୍ତାହ ଯାଏ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ମୌସୁମୀ ସ୍ବାଭାବିକ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଉପକୂଳ ଓଡିଶାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ରହିଛି। ଜୁନ ପହିଲାରୁ ଅଗଷ୍ଟ ୨୯ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ମାତ୍ର ୪ ପ୍ରତିଶତ କମ ବର୍ଷା ହୋଇଛି।