୨ଲକ୍ଷ ଟଙ୍କାର ଜାଲ୍‌ ଇ-ରେଳ ଟିକେଟ ଜବତ: ଖଡ଼ଗପୁରରୁ ଗିରଫ ହେଲେ ଦଲାଲ

ଭୁବନେଶ୍ୱର,୨୩ା୨(ବ୍ୟୁରେ): ରାଜଧାନୀରେ ଇ-ରେଳ ଟିକେଟ ଜାଲିଆତି ର଼୍ୟାକେଟ। ଇତିମଧ୍ୟରେ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ବିଭିନ୍ନ ସମୟରେ ଚଢ଼ାଉ କରି ବହୁ ଦଲାଲଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଥିବାବେଳେ ଦେଶର ବିଭିନ୍ନ ସହରରେ ଏପରି ର଼୍ୟାକେଟ ଚାଲିଥିବା ଜାଣିବାକୁ ପାଇଛି। ନିକଟରେ ଧରାପଡିଥିବା ଦଲାଲଙ୍କଠାରୁ ଆର୍‌ପିଏଫ୍‌ ବିକ୍ରି ହୋଇସାରିଥିବା ବିପୁଳ ଜାଲ୍‌ ଇ-ରେଳ ଟିକେଟ ଜବତ କରିଥିଲା। ସେଥିମଧ୍ୟରୁ କେତେକ ଟିକେଟରେ ଯାତ୍ରା ହୋଇଥିବାବେଳେ ଆଉ କେତେକ ବାକି ଥିଲା। ଏହାକୁ ଧରି ଆର୍‌ପିଏଫ୍‌ ତା’ର ତଦନ୍ତକୁ ଆଗକୁ ବଢ଼ାଇଥିବାବେଳେ ଶନିବାର ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆଉଜଣେ ଦଲାଲଙ୍କୁ ଗିରଫ କରିଛି। ସେ ହେଲେ ପୀୟୂଷ ରାଣା। ତାଙ୍କ ନିକଟରୁ ୨ଲକ୍ଷ ଟଙ୍କାର ଇ- ରେଳ ଟିକେଟକୁ ଜବତ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଆର୍‌ଫିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।

କିଭଳି ଧରାପଡ଼ିଲେ
ଭୁବନେଶ୍ୱରର ଜଣେ ଯାତ୍ରୀ ଅନ୍‌ଲାଇନରେ ପୀୟୂଷଙ୍କଠାରୁ ଟିକେଟ କିଣି ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ଭୁବନେଶ୍ୱର ଷ୍ଟେଶନରେ ଜଣେ ଆର୍‌ପିଏଫ୍‌ କର୍ମଚାରୀ ଏହି ଟିକେଟ ଦେଖିବା ପରେ ତାଙ୍କ ଆଇଡିରୁ ତାହା କରାଯାଇ ନ ଥିବା ଜାଣିବା ପରେ ସନ୍ଦେହ ହୋଇଥିଲା। ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପରେ ଦଲାଲଙ୍କ ନାମ ପଦାକୁ ଆସିଥିଲା। ଆର୍‌ପିଏଫ ପୋଲିସ ଖଡ଼ଗପୁରରେ ଚଢାଉ କରି ପୀୟୂଷଙ୍କୁ ଗିରଫ କରିଥିଲେ।

Share