୨ହଜାର ଲୋକଙ୍କୁ ନେଇ ବିଚ୍ଛିନାଞ୍ଚଳରେ ପ୍ରଜାମେଳି

କୋରୁକୋଣ୍ଡା, ୨୮ା୫(ଡି.ଏନ. ଏ.)-ବିଚ୍ଛିନାଞ୍ଚଳବାସୀ ବାରମ୍ବାର ନିଜ ସମସ୍ୟା ନେଇ ପ୍ରଶାସନ ନିକଟରେ ଉପସ୍ଥାପନ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଫଳରେ ବିଚ୍ଛିନାଞ୍ଚଳବାସୀ ପୁଣି ଥରେ ପ୍ରଜାମେଳି କରିଥିବା ଦେଖିବାକୁ ମିଳିଛି। ସେମାନେ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତର ଗୋକୁଳି ଗ୍ରାମରେ ଏକାଠି ହୋଇଥିଲେ। ଯୋଡାମ୍ବ, ପଣସପୁଟ, ଯନ୍ତ୍ରୀ, ଅଣ୍ଡରାହାଲ ପଞ୍ଚାୟତର ପ୍ରାୟ ୨ହଜାରରୁ ଉଦ୍ଧର୍‌ବ ଲୋକ ପ୍ରଜାମେଳିରେ ସାମିଲ ହୋଇଥିଲେ। ଏହି ୪ ଟି ପଞ୍ଚାୟତରୁ ନାକାମାମୁଡି ପଞ୍ଚାୟତଟି କୋରୁକୋଣ୍ଡା ବ୍ଳକ ଅଧୀନରେ ଯାଉଥିବା ବେଳେ ଅନ୍ୟ ୩ଟି ପଞ୍ଚାୟତ ଚିତ୍ରକୋଣ୍ଡା ବ୍ଲକ ଅଧୀନରେ ରହିଛି। ଏହି ଅବସରରେ ସେମାନେ ମୁଦୁଲିଗୁଡାକୁ ନୂତନ ପଞ୍ଚାୟତ ରୂପେ ଘୋଷଣା କରିବାକୁ ଦାବି କରିଥିଲେ। ଦେଶୀ ଡଙ୍ଗା ଦ୍ୱାରା ଆବଶ୍ୟକ ସମୟରେ ନାକାମାମୁଡି ପଞ୍ଚାୟତକୁ ଯାତାୟାତ କରିବା ସମ୍ଭବ ହେଉ ନ ଥିବାରୁ ମୁଦୁଲିଗୁଡାକୁ ନୂତନ ପଞ୍ଚାୟତ କରିବା ଲାଗି ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସରକାରଙ୍କ କୌଣସି ଯୋଜନା ସେମାନଙ୍କ ନିକଟରେ ପହଞ୍ଚତ୍ପାରୁନି। ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ନାମକୁ ମାତ୍ର ଚାଲିଛି। ସ୍ବାସ୍ଥ୍ୟସେବା ମଧ୍ୟ ସେମାନଙ୍କ ପାଇଁ ଅପହଞ୍ଚ ହୋଇଛି। ସେମାନେ କହିଛନ୍ତି ଯେ, ଆମ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ ଆଦି ମୌଳିକ ଅଧିକାର ପାଇବା କ୍ଷେତ୍ରରେ ଆମେ ଅବହେଳିତ ହୋଇ ରହିଛୁ। ଏଥିପାଇଁ ଆମକୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଆମ ଅଞ୍ଚଳର ଶିଶୁମାନେ ସୁଷମ ଖାଦ୍ୟ ପାଉନାହାନ୍ତି। ବିଦ୍ୟାଳୟକୁ ଶିକ୍ଷକ ଆସୁ ନ ଥିବାରୁ ପିଲାମାନେ ପାଠ ପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ଆମ ପଞ୍ଚାୟତଗୁଡ଼ିକରେ ଶତାଧିକ ଯୁବତୀ ଯୁବକ ଯୁକ୍ତ ୨ ଓ ଯୁକ୍ତ ୩ ପର୍ଯ୍ୟନ୍ତ ପାଠ ପଢ଼ି ବେକାର ହୋଇ ଘରେ ବସିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ସରକାର ଯଦି ଆଗାମୀ ଦିନରେ ଏଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ବିଚ୍ଛିନ୍ନାଞ୍ଚଳବାସୀ ଆନ୍ଦୋଳନକୁ ତୀବ୍ର କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।