୨ୟ କରୋନା ରୋଗୀ ଏମ୍‌ସର କିଛି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ପ୍ରସଙ୍ଗ: ପ୍ରଭାବିତ ବ୍ୟକ୍ତି ପର୍ଯ୍ୟବେକ୍ଷଣରେ ଥିବା କହିଲେ ବାଗ୍‌ଚୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ୨ୟ କରୋନା ରୋଗୀ ଏମ୍‌ସର କିଛି ଷ୍ଟ୍ରାଫ୍‌ଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଚର୍ଚ୍ଚା ହେଉଛି। ଏ ନେଇ ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି, ଘଟଣାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ସର୍ବୋଚ୍ଚ ସ୍ତରରେ ଏହାକୁ ନେଇ ଆଲୋଚନା, ସମୀକ୍ଷା କରାଯାଉଛି। ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ସେ କହିଛନ୍ତି।

୨ୟ କରୋନା ରୋଗୀ ତଥା ୧୯ ବର୍ଷୀୟ ଏହି ଯୁବକ ୟୁକେରୁ ଫେରିଥିଲେ। ୧୮ତାରିଖରେ ଓଡ଼ିଶାରେ ପହଞ୍ଚିଥିବା ପରେ ୧୯ରେ ତାଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ଏବେ ତାଙ୍କ ପରିବାରଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଛି। ଉକ୍ତ ଯୁବକ ୪୬ଜଣ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କମଧ୍ୟରୁ ୪୩ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ଅନ୍ୟ ୩ଜଣଙ୍କୁ ଟ୍ରେସ୍‌ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ୮ଟି ମନିଟରିଂ ଟିମ୍‌ ଗଠନ କରାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆଇସୋଲେଶନ ବ୍ୟବସ୍ଥା କରାଯିବ ବୋଲି ବୋଲି ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share