୨୦ରୁ ଊର୍ଦ୍ଧ୍ୱ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଆୟର୍ଲାଣ୍ଡ୍‌, ଡେନମାର୍କ, ଏଲ୍‌-ସାଲଭେଡର, ଜର୍ମାନୀ, ବ୍ରିଟେନ୍‌, ବେଲଜିଅମ୍‌, ଆର୍ଜେଣ୍ଟିନା, ଭାଟିକାନ୍‌ ସିଟି, ନରଓ୍ବେ, ଇରାନ, ଦକ୍ଷିଣକୋରିଆ, ହଂକଂ, ଇଣ୍ଡୋନେସିଆ ଆଦି ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ୧୨୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ ରହିବାକୁ ବାଧ୍ୟ ହୋଇଛନ୍ତି। ଏହା ସହିତ ୫୦ରୁ ଅଧିକ ଦେଶରେ କେତେକ ସହରକୁ ଲକ୍‌ଡାଉନ୍‌ କରାଯାଇଛି। ଚାଇନାରେ ଲକ୍‌ଡାଉନ୍‌ ଯୋଗୁ ୭୮ କୋଟି ଲୋକ ଘରେ ବନ୍ଦ ରହିଛନ୍ତି। ସେହିପରି ଇଟାଲିରେ ୬ କୋଟିରୁ ଅଧିକଙ୍କ କ୍ଷେତ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଆମେରିକା ପକ୍ଷରୁ କାଲିଫର୍ନିଆରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଫଳରେ ୪ କୋଟି ଲୋକ ଘରେ ବନ୍ଦ ହୋଇଯାଇଛନ୍ତି। ସେହିପରି ଫ୍ରାନ୍ସ୍‌ରେ ୬ କୋଟି ୭୦ ଲକ୍ଷ ଲୋକ ଘରେ ବନ୍ଦ ହୋଇଛନ୍ତି। ଏହାଯୋଗୁ ପୃଥିବୀର ବହୁ ସହର ଜନଶୂନ୍ୟ ହୋଇପଡ଼ିଛି। ରାସ୍ତାରେ କେବଳ ବୁଲା କୁକୁର, ଗାଈଗୋରୁ ବୁଲୁଥିବା ଦେଖିବାକୁ ମିଳୁଛି।

Share