Categories: ଜାତୀୟ

୨୦ରୁ କମ୍‌ ପିଏଲ୍‌ଏ ସୈନ୍ୟ ନିହତ ହୋଇଥିବା ଚାଇନା ମାନିଲା

ନୂଆଦିଲ୍ଲୀ,୨୩ା୬(ଆଇଏଏନ୍‌ଏସ୍‌): ଗତ ୧୫ ତାରିଖରେ ଲଦାଖ ଅନ୍ତର୍ଗତ ଗଲଓ୍ବାନ ଉପତ୍ୟକାରେ ସଂଘର୍ଷ ବେଳେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ୨୦ରୁ କମ୍‌ ସୈନ୍ୟ ନିହତ ହୋଇଥିବା କଥା ଚାଇନା ସୋମବାର ପ୍ରଥମ ଥର ପାଇଁ ସ୍ବୀକାର କରିଛି। ମୃତକଙ୍କ ମଧ୍ୟରେ ଜଣେ କମାଣ୍ଡିଂ ଅଫିସର ଅଛନ୍ତି। ଭାରତ ୧୬ ଚାଇନା ସୈନ୍ୟଙ୍କ ମୃତଦେହ ପିଏଲ୍‌ଏକୁ ହସ୍ତାନ୍ତର କରିଥିବା ରବିବାର ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଥିବା କଥା ନୂଆଦିଲ୍ଲୀ ଘୋଷଣା କରିଥିବାବେଳେ ଏପର୍ଯ୍ୟନ୍ତ ଚାଇନା ନିଜ ସୈନ୍ୟବାହିନୀର କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାଉ ନ ଥିଲା। ଚାଇନା ଉତ୍ତେଜନାଠାରୁ ଦୂରେଇ ରହିବାକୁ ଚାହୁଁଥିବାରୁ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ମୁହଁ ଖୋଲୁ ନ ଥିଲା ବୋଲି ସେଠାର ଜଣେ ବିଶେଷଜ୍ଞଙ୍କ ମନ୍ତବ୍ୟକୁ ଉଦ୍ଧାରକରି ବେଜିଂରେ ଚାଇନା କମ୍ୟୁନିଷ୍ଟ ପାର୍ଟି ସରକାରର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ପକ୍ଷରୁ କୁହାଯାଇଛି। କଟ୍ଟରପନ୍ଥୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଇନାରେ ଅଧିକ ମୃତାହତ ହୋଇଥିବା କଥା ଭାରତୀୟ ଅଧିକାରୀମାନେ ପ୍ରଚାର କରୁଛନ୍ତି ବୋଲି ଚାଇନା ବିଶ୍ଲେଷକମାନେ ଅଭିଯୋଗ କରିଛନ୍ତି। ଗଲଓ୍ବାନ ସଂଘର୍ଷରେ ଚାଇନାର ୪୦ରୁ ଅଧିକ ସୈନ୍ୟ ନିହତ ହୋଇଥିବା ଭାରତର କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ଜେନେରାଲ ଭି.କେ. ସିଂ ଶନିବାର ଦାବି କରିଥିଲେ।

Share