୨୦ରୁ ହେବ ଧାନ କିଣା

ପଦ୍ମପୁର, ୧୧।୧୨(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ରାଜଘରପୋଖରୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ବାଲିମେଦ ସେବା ସମବାୟ ସମିତିର ୬୨ତମ ସାଧାରଣ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଏଆର୍‌ସିଏସ୍‌ ସ୍ବାତୀବାଳା ମହାପାତ୍ର, ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କର ବାସୁଦେବପୁର ଶାଖା ପରିଚାଳକ ନରେନ୍ଦ୍ରନାଥ ବିହାରୀ, ବାଲିମେଦ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା, ବିରସ ସରପଞ୍ଚ ଦୟାନିଧି ଦାସ, ଆନ୍ଦୋଳା ସରପଞ୍ଚଙ୍କ ପ୍ରତିନିଧି ଜଗବନ୍ଧୁ ଖିଲାର, ସେବା ସମବାୟର ସଭାପତି ଉତ୍ତମ କୁମାର ପାତ୍ର ଓ ଉପସଭାପତି ଜାନକୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସମ୍ପାଦକ ଶ୍ରୀଧର ପ୍ରସାଦ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ସେବା ସମବାୟ ସମିତି ରାଜଘରପୋଖରୀ, ବାଲିମେଦ, ଆନ୍ଦୋଳା, ଜଗନ୍ନାଥପ୍ରସାଦ ଓ ବିରସ ପଞ୍ଚାୟତର ଚାଷୀଙ୍କ ଧାନକ୍ରୟ କରୁଥିବାବେଳେ ଚଳିତବର୍ଷ ୧୨୦୮ଜଣ ଚାଷୀ ଅନ୍‌ଲାଇନରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିଛନ୍ତି। ଧାନ ସଂଗ୍ରହ କରି ମହଜୁଦ ରଖିବାକୁ ସୋସାଇଟିର ଗୋଦାମ ନ ଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଚଳିତବର୍ଷ ଆସନ୍ତା ୨୦ ତାରିଖଠାରୁ ଧାନ କିଣାଯିବା ପାଇଁ ସ୍ଥିର କରାଯାଇଛି। ୨୦୦ ଚାଷୀଙ୍କର ନାମ ସିଦ୍ଧାନ୍ତ କରି ପ୍ରଥମ ଦଫାରେ ଧାନ କ୍ରୟ ଲାଗି ସମ୍ପାଦକଙ୍କୁ ତାଲିକା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।