Categories: ବାଣିଜ୍ୟ

୨୦ରେ ଜିଏସ୍‌ଟି ପରିଷଦ ବୈଠକ; ଟିକସ ହ୍ରାସ ନେଇ ନେଇ ହୋଇ ପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫-୯: ଜିଏସ୍‌ଟି ପରିଷଦ ବୈଠକ ଚଳିତ ମାସ ୨୦ରେ ଗୋଆରେ ଅନୁଷ୍ଠିତ ହେବ। କାର ଏବଂ ବିସ୍କୁଟ ଉପରେ ଲାଗୁ ହେଉଥିବା ଜିଏସ୍‌ଟି ହ୍ରାସ କରିବା ଲାଗି ଶିଳ୍ପଜଗତ ପକ୍ଷରୁ ଦାବି ହେଉଥିବା ବେଳେ ଏ ଉପରେ ପରିଷଦ ନିଷ୍ପତ୍ତି ନେଇପାରେ। ଏହି ନିଷ୍ପତ୍ତିରେ ରାଜକୋଷ ଉପରେ ପ୍ରଭାବ କଣ ରହିବ ସେ ନେଇ ମଧ୍ୟ ବିଚାର କରାଯିବ। ଅପରପକ୍ଷରେ ଯଦି ଟିକସ ହ୍ରାସ ନେଇ ପରିଷଦ ନିଷ୍ପତ୍ତି ନିଏ ତେବେ ଏହାର ସିଧାସଳଖ ପ୍ରଭାବ ରାଜ୍ୟଗୁଡିକର ଆୟ ଉପରେ ପଡିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅର୍ଥନୀତିରେ ବର୍ତ୍ତମାନ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଚାହିଦା ବଢାଇବା ଲାଗି ଶିଳ୍ପ ଜଗତ ଟିକସ ହ୍ରାସ ସପକ୍ଷରେ ରହିଛି। ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଦେଶର ଜିଡିପି ଅଭିବୃଦ୍ଧି ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ବେଳେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର କେତେକ ଘୋଷଣା କରିଛନ୍ତି। ଢାଞ୍ଚାଗତ ଏବଂ ଚକ୍ରିୟ ଦୃଷ୍ଟିକୋଣରୁ ମାନ୍ଦାବସ୍ଥା ଆସିଥିବାରୁ ଜିଏସ୍‌ଟି ହ୍ରାସ ନେଇ କିଛି ରାଜ୍ୟ ଯୁକ୍ତି ବାଢିଛନ୍ତି। ପ୍ରଥମେ ରାଜସ୍ବ ହ୍ରାସ ପ୍ରସଙ୍ଗକୁ ବିଚାର କଲାପରେ ଜିଏସ୍‌ଟି ହ୍ରାସ ନେଇ ଚିନ୍ତା କରାଯିବ ବୋଲି ଅଧିକାରୀ କହିଛନ୍ତି।

ରାଜ୍ୟଗୁଡିକୁ ୧.୭୫ ଲକ୍ଷ କୋଟିର ଜିଏସ୍‌ଟି କ୍ଷତିପୂରଣ
ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାଦବକୁ ୧.୭୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୧୭-୨୦୧୯ ମଧ୍ୟରେ ସରକାର ଜିଏସ୍‌ଟି କ୍ଷତିପୂରଣ ସେସ୍‌ ବାବଦକୁ ୧.୯୮ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏବେ କ୍ଷତିପୂରଣ ବାବଦ ପ୍ରଦାନ କରିବାକୁ ଥିବା ପାଣ୍ଠିରେ ୨୩,୩୯୧ କୋଟି ଟଙ୍କା ବଳକା ରହିଛି। ଏହି ପ୍ରସଙ୍ଗକୁ ମଧ୍ୟ ବୈଠକରେ ବିଚାର କରାଯିବ। ଟିକସ ସଂଗ୍ରହ କମୁଥିବାରୁ ପାଣ୍ଠିକୁ ଅର୍ଥ ଆସିବା ମଧ୍ୟ କମିଛି।

Share