୨୦ରେ ପାଟକୁରା ନିର୍ବାଚନ: ନବୀନ ନିବାସରେ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ପ୍ରଚାର କାର୍ଯ୍ୟ ବିଷୟରେ ପଚାରି ବୁଝିଲେ

ଭୁବନେଶ୍ୱର,୮।୭(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନବୀନ ନିବାସରେ ବୈଠକ କରିଛନ୍ତି। ଏଥିରେ ସେ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିଛନ୍ତି। ପାଟକୁରା ନେଇ ରଣନୀତି ସହ ତଳସ୍ତରରେ କିଭଳି ପ୍ରଚାର ଚାଲିଛି ସେ ନେଇ ପଚାରି ବୁଝିଛନ୍ତି ନବୀନ। ନିର୍ବାଚନରେ ଦଳ ତରଫରୁ ଦାୟିତ୍ୱରେ ଥିବା ବରିଷ୍ଠ ନେତାମାନଙ୍କୁ ସେ ମନ୍ତ୍ରଣା ଦେଇଛନ୍ତି। ବୈଠକରେ ରାଜା ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ, ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଚତୁର୍ଥ ପର୍ଯ୍ୟାୟରେ ପାଟକୁରା ନିର୍ବାଚନମଣ୍ଡଳୀ ନିର୍ବାଚନ ଲାଗି ଦିନଧାର୍ଯ୍ୟ କରାଯାଇଥିଲା। ହେଲେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ହୋଇଥିଲା। ପରବର୍ତ୍ତୀ ସମୟରେ ମେ ୧୯ରେ ର୍ନିବାଚନ ହୋଇଥାନ୍ତା, ମାତ୍ର ବାତ୍ୟା ‘ଫନୀ’ ପାଇଁ ନିର୍ବାଚନକୁ ପୁଣି ୨ ମାସ ଘୁଞ୍ଚାଇ ଦିଆଯାଇଥିଲା। ଏ ନେଇ ଗୁରୁବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ ଏହି ଆସନ ଲାଗି ଭୋଟ ଗ୍ରହଣ କରାଯିବ। ସେହିଭଳି ଜୁଲାଇ ୨୪ରେ ଭୋଟଗଣତି, ୨୬ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଧାର୍ଯ୍ୟ ହୋଇଛି। ତାରିଖ ଘୋଷଣା ସହ ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ତେବେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ସାବିତ୍ରୀ ଅଗ୍ରଓ୍ବାଲ ଏବଂ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Share