୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେଲେ ବିଦେଶୀ ପର୍ଯ୍ୟଟକ

ବାରାଣସୀ,୫।୨: ଉତ୍ତରପ୍ରଦେଶ ବାରାଣସୀରେ ଜଣେ ବିଦେଶୀ ପର୍ଯ୍ୟଟକ ୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ସେଲଫି ନେବା ପରେ ପାରାଚ୍ୟୁଟ୍‌ରେ ତଳକୁ ଡେଇଁଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରାମନଗର ଅଞ୍ଚଳର ଓ୍ବାଜିଦ୍‌ପୁରରେ ଏଭଳି ଘଟଣା ଘଟିଛି। ଜଣେ ପର୍ଯ୍ୟଟକ ୩୩ କେଭି ହାଇ ଟେନସନ୍‌ ଟାଓ୍ବାରରେ ଚଢ଼ି ଥିବାବେଳେ ଅନ୍ୟ ଜଣେ ତଳେ ଠିଆ ହୋଇଥିଲେ। ଟାଓ୍ବାର ଉପରେ ଚଢ଼ି ପର୍ଯ୍ୟଟକ ଜଣକ ପ୍ରାୟ ୩୦ ସେକେଣ୍ଡ ଧରି ସେଲଫି ନେଇଥିଲେ। ଏହା ଦେଖି ଟାଓ୍ବାର ତଳେ ବହୁ ଲୋକ ଗହଳି କରିଥିଲେ। ତେବେ କିଛି ସମୟ ପରେ ପର୍ଯ୍ୟଟକମାନେ ସେଠାରୁ ଚାଲିଯାଇଥିଲେ। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତେବେ ଦୁହେଁ ଇଟାଲୀର ବାସିନ୍ଦା। ସେମାନେ ସ୍ତ୍ରୀସ୍ବାମୀ ବୋଲି ଗହଳି ଜମାଇଥିବା ଲୋକଙ୍କୁ କହିଥିବା ପୋଲିସ ସୂଚନା ଦେଇଛି।

Share