Categories: ଖେଳ

୨୦୧୩ଠାରୁ ଭାରତୀୟ ଦଳ ଜିତିପାରୁନାହିଁ ଆଇସିସି ଇଭେଣ୍ଟ

ଭାରତୀୟ ମହିଳା ଦଳ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରି ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟାଇଟଲ ହାତେଇବାରେ ସଫଳ ହୋଇନାହିଁ। ଫଳରେ ୨୦୧୩ଠାରୁ ଚାଲିଥିବା ଧାରା ଅବ୍ୟାହତ ରହିଛି। ଦୀର୍ଘ ୮ ବର୍ଷ ହେଲା ଭାରତୀୟ କ୍ରିକେଟ ଦଳ ସମସ୍ତ ଆଇସିସି ଇଭେଣ୍ଟର ସେମିଫାଇନାଲ କିମ୍ବା ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଟାଇଟଲ ହାତେଇ ପାରିନାହିଁ। ୨୦୧୩ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ଦଳ ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଏହାର ପରବର୍ଷ ଭାରତୀୟ ଦଳ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଶ୍ରୀଲଙ୍କାଠାରୁ ହାରିଥିଲା। ସେହିଭଳି ୨୦୧୫ରେ ଆଇସିସି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ଅତିକ୍ରମ କରିପାରି ନ ଥିଲା ଟିମ୍‌ ଇଣ୍ଡିଆ। ୨୦୧୬ ବର୍ଷ ଆଇସିସି ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ଭାରତକୁ ଓ୍ବେଷ୍ଟଇଣ୍ଡିଜ ହରାଇ ଥିଲା। ପୁଣି ୨୦୧୭ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତକୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ହରାଇ ଦେଇଥିଲା। ୨୦୧୮ରେ ମହିଳା ଟି୨୦ ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳ ସେମିଫାଇନାଲରେ ହାରିଥିଲା। ୨୦୧୯ ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରେ ପରାସ୍ତ ହୋଇଥିଲା। ଏହି ୮ ବର୍ଷ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ ୮ ଆଇସିସି ଇଭେଣ୍ଟର ନକଆଉଟ୍‌ ପର୍ଯ୍ୟାୟରୁ ବିଦାୟ ନେଇସାରିଛନ୍ତି।

Share