୨୦୧୭-୧୮ ବର୍ଷରେ ନିର୍ବାଚନ ଚାନ୍ଦା: ବିଜେଡିକୁ ମିଳିଛି ୧୩ କୋଟି ୪ ଲକ୍ଷ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ୧୩ କୋଟି ୪ ଲକ୍ଷ ଟଙ୍କା ଚାନ୍ଦା ପାଇଛି। ଉକ୍ତ ସମୟରେ ମିଳିଥିବା ଦେଶର ସମସ୍ତ ଆଞ୍ଚଳିକ ଦଳର ଚାନ୍ଦାଠାରୁ ଅଧିକ। ବିଜେଡି ପଛକୁ ବିହାରରେ କ୍ଷମତାସୀନ ଜେଡି(ୟୁ) ରହିଛି। ଭାରତୀୟ ନିର୍ବାଚନ କମିଶନ(ଇସି) ନିକଟରେ ୧୫ଟି ପ୍ରମୁଖ ଆଞ୍ଚଳିକ ଦଳର ଆୟ ନେଇ ତଥ୍ୟ ପ୍ରଦାନ କରିଛନ୍ତି। ଏହି ତଥ୍ୟରେ ଚାନ୍ଦା ବାବଦକୁ ୨୦,୦୦୦ଟଙ୍କାରୁ ଅଧିକ ପରିମାଣ ଚାନ୍ଦାର ବିବରଣୀ ରହିଛି। ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର) ୱେବସାଇଟ୍‌ରେ ଏହି ସବୁ ଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ବିଜେଡି ପଛକୁ ଥିବା ଜେଡି(ୟୁ) ୧୧ କୋଟି ୧୯ ଲକ୍ଷ, ୱାଇଏସ୍‌ଆର କଂଗ୍ରେସ ୮ କୋଟି ୩୫ ଲକ୍ଷ, ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୮ କୋଟି ୩୨୬ ଲକ୍ଷ ଟଙ୍କା ଅନୁଦାନ ହାତେଇ ପାରିଛି। ଏମାନଙ୍କ ପରେ ଟିଆରଏସ୍‌ ୩.୩୦୭ କୋଟି ଟଙ୍କା, ଅକାଳୀ ଦଳକୁ ୨.୨୮୯ କୋଟି, ଟିଡିପିକୁ ୧୭.୩୭, ଏସ୍‌ଏଚ୍‌ଏସ୍‌କୁ ୧.୬୭୬ କୋଟି, ଡିଏମ୍‌କେ ୧.୨୭୯ ଏବଂ ଏସ୍‌ଡିଏଫକୁ ୦.୮୫ କୋଟି ଟଙ୍କାର ଚାନ୍ଦା ମିଳିଛି। ଏହି ସବୁ ଅନୁଦାନ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଏବଂ ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି। ଏଡିଆର ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ବିଜେଡିକୁ କୌଣସି ଚାନ୍ଦା ମିଳି ନ ଥିଲା। ସେହିପରି ଜେଡି(ୟୁ)କୁ ୧ କୋଟି ୪ ଲକ୍ଷ, ୱାଇଏସ୍‌ଆର କଂଗ୍ରେସ ୦.୪୨ କୋଟି, ଏଏପିକୁ ୨୪.୭୩ କୋଟି ଏବଂ ଟିଆରଏସ୍‌କୁ ୦.୩୪ କୋଟି ଟଙ୍କାର ଅନୁଦାନ ମିଳିଛି। ୨୦୧୭-୧୮ରେ ମିଳିଥିବା ଦାନଗୁଡିକ ମଧ୍ୟରୁ ଆଞ୍ଚଳିକ ଦଳଗୁଡିକୁ ୫୪.୮୧ କୋଟି ଟଙ୍କାର ଦାନ ମିଳିଛି। ତନ୍ମଧ୍ୟରୁ ୪୩୪ ଦାତା ନଗଦ ଅର୍ଥ ବାବଦକୁ କେବଳ ୭୭.୪୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହା ମୋଟ ଦାନର ମାତ୍ର ୧.୪୦ ପ୍ରତିଶତ। ନଗଦ ମାଧ୍ୟମରେ ଏନ୍‌ପିଏଫ୍‌କୁ ସର୍ବାଧିକ ୬୫.୨୬ ଲକ୍ଷ ଟଙ୍କା, ଏଆଇଏନ୍‌ଆରସିକୁ ୪.୨୦ ଲକ୍ଷ, ପିଏମ୍‌କେକୁ ୩.୮୧ ଲକ୍ଷ ଟଙ୍କାର ଚାନ୍ଦା ମିଳିଛି। କେବଳ ତାମିଲନାଡୁରୁ ୪.୩୨ ଲକ୍ଷ ଏବଂ ପୁଡୁଚେରୀରୁ ୪.୨୦ ଲକ୍ଷ ଟଙ୍କା ଆଞ୍ଚଳିକ ଦଳଗୁଡିକୁ ମିଳିଥିବା ଜଣାପଡିଛି। ଏଏପିକୁ କେବଳ ୨୦,୦୦୦ ଟଙ୍କାରୁ ଅଧିକ ଦାନ ବିଦେଶରୁ ମିଳିଛି। ଅନ୍ୟପକ୍ଷରେ ରାଜ୍ୟଗୁଡିକୁ ଦେଖିଲେ ଦିଲ୍ଲୀରୁ ସର୍ବାଧିକ ୧୭.୯୪୬ କୋଟି, ମହାରାଷ୍ଟ୍ରରୁ ୯.୦୩ କୋଟି, କର୍ନାଟକରୁ ୯.୧୯୪ କୋଟି, ତେଲେଙ୍ଗାନା ୪.୮୭୮ କୋଟି ଟଙ୍କାର ଅନୁଦାନ ଆଞ୍ଚଳିକ ଦଳଗୁଡିକୁ ମିଳିଛି।
ସେହିପରି ୨୦୧୭-୧୮ରେ ଭାଜପାକୁ ୨୯୭୭ଟି ସୂତ୍ରରୁ ୪୩୭.୦୪ କୋଟି ଟଙ୍କା, କଂଗ୍ରେସକୁ ୭୭୭ ସୂତ୍ରରୁ ୨୬.୬୫୮ କୋଟି, ଏନ୍‌ସିପିକୁ ୨.୦୮୭ କୋଟି, ସିପିଏମ୍‌କୁ ୨.୭୫୬କୋଟି, ସିପିଆଇକୁ ୧.୧୪୬ କୋଟି, ତୃଣମୂଳ କଂଗ୍ରେସକୁ ୦.୨୦ କୋଟି ଟଙ୍କାର ଚାନ୍ଦା ମିଳିଛି। ବିଏସ୍‌ପିକୁ ୨୦,୦୦୦ ଟଙ୍କା ଉପରକୁ ଦାନ ମିଳି ନ ଥିବା ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି। ୪୮ଟି ଆଞ୍ଚଳିକ ଦଳଗୁଡିକ ମଧ୍ୟରୁ ୧୭ଟି ଦଳ ମିଳିଥିବା ଚାନ୍ଦା ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି।

Share