୨୦୧୭-୧୮ ବର୍ଷରେ ନିର୍ବାଚନ ଚାନ୍ଦା: ବିଜେଡିକୁ ମିଳିଛି ୧୩ କୋଟି ୪ ଲକ୍ଷ, ଆଞ୍ଚଳିକ ଦଳ ମଧ୍ୟରେ ସର୍ବାଧିକ;ଦ୍ୱିତୀୟରେ ଜେଡି(ୟୁ), ୱାଇଏସ୍‌ଆର ତୃତୀୟ

ଭୁବନେଶ୍ୱର,୨୧।୫(ବ୍ୟୁରୋ)- ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ୧୩ କୋଟି ୪ ଲକ୍ଷ ଟଙ୍କା ଚାନ୍ଦା ପାଇଛି। ଏହା ଦେଶର ଏହି ସମୟରେ ମିଳିଥିବା ସମସ୍ତ ଆଞ୍ଚଳିକ ଦଳଠାରୁ ଅଧିକ। ବିଜେଡି ପଛକୁ ବିହାରରେ କ୍ଷମତାସୀନ ଜେଡି(ୟୁ) ରହିଛି। ଭାରତୀୟ ନିର୍ବାଚନ କମିଶନ(ଇସି) ନିକଟରେ ୧୫ଟି ପ୍ରମୁଖ ଆଞ୍ଚଳିକ ଦଳର ଆୟ ନେଇ ତଥ୍ୟ ପ୍ରଦାନ କରିଛନ୍ତି। ଏହି ତଥ୍ୟରେ ଚାନ୍ଦା ବାବଦକୁ ୨୦,୦୦୦ରୁ କମ୍‌ ପରିମାଣ ଚାନ୍ଦାର ବିବରଣୀ ରହିଛି। ବିଜେଡିକୁ ମୋଟ ୬ଟି ଦାନରୁ ୧୩ କୋଟି ୪ ଲକ୍ଷ ଚାନ୍ଦା ମିଳିଥିବା ଜଣାପଡିଛି। ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର) ୱେବସାଇଟ୍‌ରେ ଏହି ସବୁ ଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ବିଜେଡି ପଛକୁ ଥିବା ଜେଡି(ୟୁ) ୧୧ କୋଟି ୧୯ ଲକ୍ଷ, ୱାଇଏସ୍‌ଆର କଂଗ୍ରେସ ୮ କୋଟି ୩୫ ଲକ୍ଷ, ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୮ କୋଟି ୩୨୬ ଲକ୍ଷ ଟଙ୍କା ଅନୁଦାନ ହାତେଇ ପାରିଛି। ଏମାନଙ୍କ ପରେ ଟିଆରଏସ୍‌ ୩.୩୦୭ କୋଟି ଟଙ୍କା, ଅକାଳୀ ଦଳକୁ ୨.୨୮୯ କୋଟି, ଟିଡିପିକୁ ୧୭.୩୭, ଏସ୍‌ଏଚ୍‌ଏସ୍‌କୁ ୧.୬୭୬ କୋଟି, ଡିଏମ୍‌କେ ୧.୨୭୯ ଏବଂ ଏସ୍‌ଡିଏଫକୁ ୦.୮୫ କୋଟି ଟଙ୍କାର ଚାନ୍ଦା ମିଳିଛି। ଏହି ସବୁ ଅନୁଦାନ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଏବଂ ନିର୍ବାଚନୀ ବଣ୍ଡ ଆକାରରେ ପ୍ରଦାନ କରିଥିବା ଜଣାପଡିଛି। ଏଡିଆର ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ବିଜେଡିକୁ କୌଣସି ଚାନ୍ଦା ମିଳି ନ ଥିଲା। ସେହିପରି ଜେଡି(ୟୁ)କୁ ୧ କୋଟି ୪ ଲକ୍ଷ, ୱାଇଏସ୍‌ଆର କଂଗ୍ରେସ ୦.୪୨ କୋଟି, ଏଏପିକୁ ୨୪.୭୩ କୋଟି ଏବଂ ଟିଆରଏସ୍‌କୁ ୦.୩୪ କୋଟି ଟଙ୍କାର ଅନୁଦାନ ମିଳିଛି। ୨୦୧୭-୧୮ରେ ମିଳିଥିବା ଦାନଗୁଡିକ ମଧ୍ୟରୁ ଆଞ୍ଚଳିକ ଦଳଗୁଡିକୁ ୫୪.୮୧ କୋଟି ଟଙ୍କାର ଦାନ ମିଳିଛି। ତନ୍ମଧ୍ୟରୁ ୪୩୪ ଦାତା ନଗଦ ଅର୍ଥ ବାବଦକୁ କେବଳ ୭୭.୪୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହା ମୋଟ ଦାନର ମାତ୍ର ୧.୪୦ ପ୍ରତିଶତ।

Share