Categories: ଜାତୀୟ

୨୦୧୮ରେ ଆସିଛି ଅଧିକ ସାମୁଦ୍ରିକ ଝଡ଼: ୭ ବାତ୍ୟା ନେଇଛି ୩ଶହ ୪୩ ଜୀବନ

ନୂଆଦିଲ୍ଲୀ,୧୨।୬: ଦେଶରେ ୧୯୬୭ଠାରୁ ବର୍ତ୍ତମାନ ସୁଦ୍ଧା ୫୨ ବର୍ଷ ମଧ୍ୟରେ ୧୨୧ ସାମୁଦ୍ରିକ ଝଡ଼ ଆସିଛି। ସେଥିମଧ୍ୟରୁ ୨୦୧୮ରେ ଅଧିକ ଝଡ଼ ହୋଇଛି। ଏଥିରେ ୩ ଶହ୪୩ ଲୋକଙ୍କ ମୃତ୍ୟୁ ଘଟିଥିବା ଭାରତୀୟ ପରିସଂଖ୍ୟାନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏହି ଝଡ଼ ଯୋଗୁ ଗତବର୍ଷ ଅନେକ କ୍ଷୟ କ୍ଷତି ହୋଇଛି। ଗତବର୍ଷ ମେ ରେ ୨ଟି, ସେପ୍ଟେମ୍ବରରେ ୧, ଅକ୍ଟୋବରରେ ୨, ନଭେମ୍ବରରେ ୧ ଏବଂ ଡିସେମ୍ବରରେ ୧ ସାମଦ୍ରିକ ଝଡ଼ ଆସିଥିଲା। ସେପ୍ଟେମ୍ବର ୧୯ରେ ପଶ୍ଚିମବଙ୍ଗରେ ହୋଇଥିା ଡେ’ରେ ୨୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଅକ୍ଟୋବରରେ ଆସିଥିବା ତିତ୍‌ଲିରେ ଓଡ଼ିଶାର ୭୭ ଏବଂ ଆନ୍ଧ୍ରପ୍ରଦେଶର ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ନଭେମ୍ବର ୧୦ରେ ଗାଜା ବାତ୍ୟାରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଡିସେମ୍ବର ୧୩ରେ ପେଥାଇ ବାତ୍ୟା ଯୋଗୁ ଆନ୍ଧ୍ରପ୍ରଦେଶର ୮ଲୋକଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟ ଅନୁସାରେ ଗତବର୍ଷ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ୨ ହଜାର ୫୭ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୪୬ ହଜାର ୮ ଶହ ୮୮ ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୯ଲକ୍ଷ ୧୫ ହଜାର ୮ଶହ ୭୮ ଘର ଭାଙ୍ଗିରୁଜି ଯାଇଥିଲା। ୨୦୧୮ର ଶେଷ ୪ ମାସ ମଧ୍ୟରେ ଅଧିକ ସାମୁଦ୍ରିକ ଝଡ଼ ଆସିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୧୭ରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏକ ହଜାର ୪ଶହ ୮୭ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୪୧ ହଜାର ୯ଶହ ୬୫ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୫ଲକ୍ଷ ୪୬ ହଜାର ୫ଶହ ୧୮ ଘର ଭାଙ୍ଗିରୁଜି ଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share