୨୦୧୮-୧୯ ଆର୍ଥିକ ବର୍ଷ : ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୪୨୭ କୋଟି ସେସ୍‌ ସଂଗୃହୀତ

ଭୁବନେଶ୍ୱର,୨୨।୮(ବ୍ୟୁରୋ)- ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୪୨୭ କୋଟି ଟଙ୍କାର ସେସ୍‌ ସଂଗୃହୀତ କରାଯାଇଛି, ଯାହାକି ବିଗତ ବର୍ଷଗୁଡ଼ିକ ତୁଳନାରେ ସର୍ବାଧିକ। କଲ୍ୟାଣ ବୋର୍ଡର ଅଦ୍ୟାବଧି ମୋଟ ୧୯୨୦ କୋଟି ଟଙ୍କା ସେସ୍‌ ସଂଗୃହୀତ ହୋଇଛି । ସେହିପରି ଏ ପର୍ଯ୍ୟନ୍ତ ୧୪୦୮ କୋଟି ଟଙ୍କା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ବିଭିନ୍ନ କଲ୍ୟାଣମୁଖୀ ଯୋଜନାରେ ପ୍ରଦାନ କରାଯାଇଥିବା ଜଣାପଡିଛି। ଅନୁରୂପ ଭାବେ ଚଳିତ ବର୍ଷ ସେସ୍‌ ଆଦାୟକୁ ବିଭାଗ ତରଫରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନେଇ କରିଥିବା ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି।
ନିର୍ମାଣ ଶ୍ରମିକ ପଞ୍ଜୀକରଣ ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ କାର୍ଯ୍ୟସ୍ଥଳରେ ଶ୍ରମିକମାନଙ୍କ ନିକଟରେ ପହଞ୍ଚତ୍ ପଞ୍ଜୀକରଣ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଖିଲାପି ସଂସ୍ଥା ଓ ବ୍ୟକ୍ତିବିଶେଷ ସେମାନଙ୍କ ଦେୟ ଠିକଣା ସମୟରେ ପ୍ରଦାନ କରିବାକୁ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଅଧୀନରେ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସ୍ଥାପନ କରାଯାଇ ଏକ ରାଜ୍ୟସ୍ତରୀୟ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି।
କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ସେସ୍‌ ଆଇନ ଅନୁଯାୟୀ ରାଜ୍ୟ ସରକାର
୨୦୦୮ ଡିସେମ୍ବରରେ ବିଜ୍ଞପ୍ତି ଜାରି କରିଥିଲେ। ତଦନୁଯାୟୀ ରାଜ୍ୟର ପ୍ରତ୍ୟେକ ନିର୍ମାଣ ସଂସ୍ଥାଠାରୁ ନିର୍ମାଣ ପ୍ରକଳ୍ପର ମୋଟ ଖର୍ଚ୍ଚ (ଜମିର ମୂଲ୍ୟ ଓ କର୍ମଚାରୀ କ୍ଷତିପୂରଣ ଆଇନରେ ମିଳୁଥିବା କ୍ଷତିପୂରଣ ବ୍ୟତୀତ)ର ଏକ ପ୍ରତିଶତ ସେସ୍‌ ବାବଦ ଦେୟ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ପାଣ୍ଠିରେ ପଇଠ କରିବା ଜରୁରୀ। ମାତ୍ର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ବାସଗୃହ ନିର୍ମାଣ କ୍ଷେତ୍ରରେ ଏହି ଏକ ପ୍ରତିଶତ ସେସ୍‌ ଆଦାୟକୁ ବାଦ ଦିଆଯାଇଛି। କଲ୍ୟାଣ ବୋର୍ଡ ତରଫରୁ ପଞ୍ଜୀକୃତ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଏହି ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରାଯାଉଛି। ଶ୍ରମ ବିଭାଗରେ ପ୍ରଯୁକ୍ତି ବିଦ୍ୟା ଉପଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଏପରିକି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବର୍ତ୍ତମାନ ମାଲିକ କର୍ତ୍ତୃପକ୍ଷଙ୍କଠାରୁ ସିଧାସଳଖ ସେସ୍‌ ପାଇବା ନିମନ୍ତେ ଷ୍ଟେଟ୍‌ ବ୍ୟାଙ୍କର ଏସ୍‌ବି କଲେକ୍ଟକୁ ଉପଯୋଗ କରାଯାଇଛି।