୨୦୧୯ରେ ସବୁଠୁ ବେଶି ବଦଳିଛି ପାଗ

ନୂଆଦିଲ୍ଲୀ: ଭାରତରେ ବିଶ୍ୱତାପନ(ଗ୍ଲୋବାଲ୍‌ ଓ୍ବାର୍ମିଂ)ର ପ୍ରଭାବ ସ୍ପଷ୍ଟ ଅନୁଭୂତ। ୧୯୦୧ ମସିହା ପରେ ୨୦୧୯ ଭାରତରେ ସପ୍ତମ ଉତ୍ତପ୍ତ ବର୍ଷ ଥିଲା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ପକ୍ଷରୁ ନିକଟରେ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦେଶରେ ୨୦୧୬କୁ ସର୍ବାଧିକ ଉତ୍ତପ୍ତ ବର୍ଷଭାବେ ପୂର୍ବରୁ ରେକର୍ଡ କରାଯାଇଥିବାବେଳେ ଗତବର୍ଷ ଏହାଠାରୁ ମଧ୍ୟ ଅଧିକ ଗରମ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଇତିହାସର ସବୁଠାରୁ ଉତ୍ତପ୍ତ ଦଶକ ଶେଷ ହୋଇଥିବା ମଧ୍ୟ କୁହାଯାଇଛି। କୋପର୍‌ନିକସ୍‌ କ୍ଲାଇମେଟ୍‌ ଚେଞ୍ଜ ସର୍ଭିସ୍‌ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ୨୦୧୬ ପରେ ୨୦୧୯ରେ ପୁଣି ତାପମାତ୍ରା ବଢ଼ିଛି। ବିଶେଷକରି ‘ଏଲ୍‌ ନିନୋ’ର ପ୍ରଭାବକୁ ଏଥିପାଇଁ ଦାୟୀ ମନେ କରାଯାଉଛି। ଆଇଏମ୍‌ଡି ତଥ୍ୟ ପ୍ରକାରେ ୨୦୧୯ରେ ସମଗ୍ର ଦେଶରେ ତାପମାତ୍ରା ସାମାନ୍ୟଠାରୁ ୦.୩୬ ଡିଗ୍ରୀ ସେଲ୍‌ସିୟସ୍‌ ଊର୍ଦ୍ଧ୍ୱରେ ରହିଥିଲା। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ୨୦୧୯ରେ କେବଳ ଗ୍ରୀଷ୍ମ ପ୍ରଭାବ ନୁହେଁ ବିଗତ ୨୫ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ମୌସୁମୀ ବର୍ଷା, ୮ ବାତ୍ୟା ଏବଂ ଡିସେମ୍ବରରେ ଉତ୍ତର ଭାରତରେ ରେକର୍ଡ ମାତ୍ରାରେ ଥଣ୍ଡା(ଦିନରେ) ହୋଇଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ତଥ୍ୟ ଭାରତ ପାଇଁ ଯେ ନିଶ୍ଚିତ ସତର୍କ ସଙ୍କେତ, ଏହାକୁ ଏଡ଼ାଇ ଦିଆଯାଇ ନ ପାରେ।

Share