ଭୁବନେଶ୍ୱର, ୭ା୧୧(ବ୍ୟୁରୋ) ଭାରତରେ ପ୍ରୋଷ୍ଟେଟ୍ କ୍ୟାନ୍ସର ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଗବେଷଣା ଅନୁସାରେ ୨୦୧୦ ଓ ୨୦୧୫ରେ ଭାରତରେ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୨୬ ଓ ୨୮ ହଜାର ଥିବାବେଳେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ଅନୁମାନ କରାଯାଉଛି। ପ୍ରୋଷ୍ଟେଟ୍ କ୍ୟାନ୍ସର ଏକ ଧିମା କ୍ୟାନ୍ସର ହୋଇଥିବାବେଳେ ସାଧାରଣତଃ ଏହି ରୋଗ ଶେଷ ସ୍ତରରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ରୋଗୀ ଏହାର ବିଶେଷ ଲକ୍ଷଣ ଅନୁଭବ କରି ନଥାଏ। ହେଲେ ଥରେ ଏହି କ୍ୟାନ୍ସର ଦ୍ରୁତଗତିରେ ବଢ଼ିବା ଆରମ୍ଭ କଲେ କିମ୍ବା ବାହାରକୁ ବ୍ୟାପିଲେ ବିପଜ୍ଜନକ ପାଲଟିଥାଏ। ପ୍ରାରମ୍ଭିକ ସ୍ତରରେ ଏହି ରୋଗର ଲକ୍ଷଣ ଚିହ୍ନଟ ହୋଇପାରୁ ନ ଥିବାରୁ ୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରତିବର୍ଷ ପ୍ରୋଷ୍ଟେଟ୍ କ୍ୟାନ୍ସର ଯାଞ୍ଚ ଜରୁରୀ ବୋଲି ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲର ବରିଷ୍ଠ ୟୁରୋଲୋଜିଷ୍ଟ ଡା. ବିଶ୍ୱଜିତ୍ ନନ୍ଦ କହିଛନ୍ତି। ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲରେ ପ୍ରୋଷ୍ଟେଟ୍ କ୍ୟାନ୍ସର କ୍ଲିନିକ୍ ଶୁଭାରମ୍ଭ ଅବସରରେ ଡା. ନନ୍ଦ ଭାରତର ପୁରୁଷଙ୍କ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ଏହି କ୍ୟାନ୍ସର ସମ୍ପର୍କରେ କହିଥିଲେ। ସଚେତନତା ସୃଷ୍ଟି ଓ ଠିକ ସମୟରେ ଚିକିତ୍ସା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ହସ୍ପିଟାଲ ତରଫରୁ ବରିଷ୍ଠ ନାଗରିକଙ୍କୁ ନେଇ ଏକ ୱାକାଥନ୍ ଆୟୋଜନ ହୋଇଥିବାବେଳେ ଏଥିରେ ଦେଢ଼ଶହରୁ ଅଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ହସ୍ପିଟାଲ ୟୁନିଟ୍ ହେଡ୍ ଭର୍ଗିସ ପି ଜନ୍ ଏହି ଅବସରରେ କହିଥିଲେ, ପ୍ରୋଷ୍ଟେଟ୍ କ୍ୟାନ୍ସର ଏଭଳି ଧରଣର କ୍ୟାନ୍ସର ଯାହା ଭାରତୀୟଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ। ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏଥିରେ ପୀଡ଼ିତ ହେବାର ଆଶଙ୍କା ଅଧିକ ଥାଏ। ତେବେ ୫୦ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ଏକ ପ୍ରତିଶତଙ୍କଠାରେ ଏହି କ୍ୟାନସର ପରିଲକ୍ଷିତ ହୋଇଥାଏ। ଯଦି ପରିବାରର ଆଉ କାହାକୁ କେବେ ଏହି କର୍କଟ ରୋଗ ହୋଇଥାଏ, ତା’ହେଲେ ଏହାଦ୍ୱାରା ପୀଡ଼ିତ ହେବାର ଆଶଙ୍କା ଅଧିକ ରହିଥାଏ। ବାର୍ଦ୍ଧକ୍ୟ, ମେଦବହୁଳତା, ଅନୁଚିତ ଆହାର ଏବଂ ଆନୁବଂଶିକ ପରିବର୍ତ୍ତନ ପ୍ରୋଷ୍ଟେଟ୍ କ୍ୟାନ୍ସରର ମୁଖ୍ୟ କାରଣ। ଶେଷ ପର୍ଯ୍ୟାୟରେ ପୀଡ଼ିତ ପରିସ୍ରା କରିବାରେ କଷ୍ଟ ଅନୁଭବ କରିଥାନ୍ତି ନଚେତ୍ ବାରମ୍ବାର ପରିସ୍ରା ଅନୁଭବ କରିଥାନ୍ତି। ଆଗୁଆ ରୋଗ ନିରୂପଣ ଦ୍ୱାରା ଏହାର ଚିକିତ୍ସା ସମ୍ଭବ ବୋଲି ସେ କହିଥିଲେ।