Categories: ବାଣିଜ୍ୟ

୨୦୨୦ରେ ୭.୫% ରହିବ ଜିଡିପି

ନୂଆଦିଲ୍ଲୀ,୭-୬: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଭାରତ ଜିଡ଼ିପି ଅଭିବୃଦ୍ଧି ହାର ଗତି ଉପରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ଭରସା ରହିଛି। ଏହା ଜି-୨୦ ନୋଟ୍‌ ସର୍ଭିଲାନ୍ସ ନୋଟ୍‌ ଜାରି କରି କହିଛି ଯେ, ୨୦୧୯ରେ ଭାରତର ଜିଡ଼ିପି ହାର ୭.୩% ରହିବ। ସେହିପରି ୨୦୨୦ରେ ଏହା ଆହୁରି ବୃଦ୍ଧି ପାଇ ୭.୫%ରେ ପହଞ୍ଚତ୍ବ। ଭାରତ ବ୍ୟତୀତ ଚାଇନାର ଜିଡ଼ିପି ଚଳିତ ବର୍ଷ ୬.୩% ଏବଂ ୨୦୨୦ରେ ୬.୧ ପ୍ରତିଶତ ରହିବ ବୋଲି ନୋଟ୍‌ରେ ଅନୁମାନ କରାଯାଇଛି। ଆସନ୍ତା ୮ ଓ ୯ରେ ଜାପାନରେ ବିକଶିତ ଏବଂ ବିକାଶଶୀଳ ଦେଶଗୁଡ଼ିକୁ ନେଇ ଗଠିତ ଜି-୨୦ ଦେଶଗୁଡ଼ିକର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ବୈଠକ ବସିବ। ଏଥିରେ ଭାରତ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଯୋଗ ଦେବେ। ଏହି ବୈଠକ ପୂର୍ବରୁ ଜି-୨୦ ସର୍ଭିଲାନ୍ସ ନୋଟ୍‌ ପ୍ରସ୍ତୁତ କରାଯାଇଥାଏ। ଏହି ନୋଟ୍‌ ଜରିଆରେ ଜି-୨୦ ଦେଶଗୁଡ଼ିକ ନିଜର ତଥା ବିଶ୍ୱର ଆର୍ଥିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥାନ୍ତି। ସୂଚନାଥାଉ କି, ଭାରତ ସମେତ ଆର୍ଜେଣ୍ଟିନା, ବ୍ରାଜିଲ, କାନାଡା, ଚାଇନା, ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଜାପାନ, ମେସ୍କିକୋ, ରୁଷ୍‌, ଦକ୍ଷିଣ ଆଫ୍ରିକା, ବ୍ରିଟେନ ଓ ଆମେରିକା ଜି-୨୦ରେ ସାମିଲ ରହିଛି। ଏଥିପୂର୍ବରୁ ବିଶ୍ୱ ବ୍ୟାଙ୍କ ଭାରତର ଅଭିବୃଦ୍ଧି ହାର ୭.୫% ରହିବ ବୋଲି ଆଶାବ୍ୟକ୍ତ କରିଛି।

Share