Categories: ଜାତୀୟ

୨୦୨୦ର ପୂରା ଯୋଜନା ବିଷୟରେ କହିଲେ ଇସ୍ରୋ ମୁଖ୍ୟ: ଥୁଥୁକୋଡିରେ ହେବ ସ୍ପେସ୍‌ ପୋର୍ଟ

ନୂଆଦିଲ୍ଲୀ,୧।୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ. ଶିବନ୍‌ ନୂଆବର୍ଷରେ ଦେଶବାସୀଙ୍କ ଆଗରେ ଚଳିତବର୍ଷର ଲକ୍ଷ୍ୟ ଏବଂ ଯୋଜନା ଉପସ୍ଥାନ କରିଛନ୍ତି। ଦେଶର ଦ୍ୱିତୀୟ ସ୍ପେସ୍‌ ପୋର୍ଟ ବିଷୟରେ ସୂଚନା ଦେଇ ଶିବନ୍‌ କହିଛନ୍ତି, ଏହା ତାମିଲନାଡୁର ଥୁଥୁକୋଡିରେ ନିର୍ମାଣ ହେବ। ଏଥିପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ୨୦୨୦ରେ ଗଗନଯାନ ଏବଂ ଚନ୍ଦ୍ରୟାନ-୩ ମିଶନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ମହାକାଶ ବିଜ୍ଞାନ ଜରିଆରେ ଦେଶର ବିହୁବିଧ ଆବଶ୍ୟକତା ପୂରଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଶିବନ୍‌ କହିଛନ୍ତି। ଉଭୟ ପ୍ରକଳ୍ପ ପାଇଁ ଅନେକ ପ୍ରସ୍ତୁତି ଗତବର୍ଷରୁ କରାଯାଇଛି। ଗଗନଯାନ ମିଶନ ପାଇଁ ୪ ମହାକାଶଚାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କୁ ରୁଷରେ ଟ୍ରେନିଂ ଦିଆଯିବ। ଅପରପକ୍ଷେ ଆଉ ଏକ ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିଯାଇଛି। ଚନ୍ଦ୍ରୟାନ-୩ ପ୍ରୋଜେକ୍ଟକୁ ସରକାରୀ ମଞ୍ଜୁରୀ ମିଳିସାରିଥିବା ବେଳେ ଏହା ଉପରେ କାର୍ଯ୍ୟାରମ୍ଭ ହୋଇଛି। ଚନ୍ଦ୍ରୟାନ-୩ ମଧ୍ୟ ଚନ୍ଦ୍ରୟାନ-୨ ଭଳି ହେବ। ଏଥିରେ ଲ୍ୟାଣ୍ଡର ଓ ରୋବର ରହିବ ବୋଲି ଶିବନ୍‌ କହିଛନ୍ତି।

Share