୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍‌ ଅପେକ୍ଷାରେ ରହିଛି ବିଗ୍‌ ବଜେଟ୍‌ର ୨୨ରୁ ଅଧିକ ଫିଲ୍ମ

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ ପଛରେ ରହିବ କେମିତି ବଲିଉଡ୍‌! ଚଳିତବର୍ଷ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇ କୋଟି କୋଟି ଟଙ୍କା ବ୍ୟବସାୟ କରିବା ପରେ ଏବେ ଆଗାମୀ ବର୍ଷର ଚିନ୍ତାରେ ନିର୍ମାତା। ୨୦୨୦ରେ ବଲିଉଡ୍‌ ସୁପର ଷ୍ଟାରମାନଙ୍କର ଅନେକ ଫିଲ୍ମ ଆସିବାକୁ ଯାଉଛି, ଯାହା ଦର୍ଶକଙ୍କ ମନକୁ ବାନ୍ଧି ସାରିଲାଣି। କେବଳ ରିଲିଜ୍‌କୁ ଅପେକ୍ଷା ରହିଛି।

ଯଦି ୨୦୨୦ର ଫିଲ୍ମ କ୍ୟାଲେଣ୍ଡର ଉପରେ ନଜର ପକାଯାଏ, ତେବେ ଜାନୁୟାରୀରେ ରିଲିଜ୍‌ ହେବାକୁ ଯାଉଛି ଅଜୟ ଦେବଗନ୍‌ଙ୍କ ଅଭିନୀତ ଫିଲ୍ମ ‘ତାନାଜୀ’। ଏହାର ଟ୍ରେଲର ନିକଟରେ ରିଲିଜ୍‌ କରାଯାଇଥିଲା। ବହୁ ଦିନ ବ୍ୟବଧାନ ପରେ ଅଜୟଙ୍କ ସହ କାଜୋଲଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ଦର୍ଶକ ଏହାକୁ ନେଇ ଉତ୍ସାହିତ ଅଛନ୍ତି। ଜାନୁୟାରୀରେ ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ’। ୧୦ ଜାନୁୟାରୀରେ ଏହା ପରଦାକୁ ଆସିବ। ଫିଲ୍ମର କାହାଣୀ ଏସିଡ୍‌ ପୀଡ଼ିତାଙ୍କ ଜୀବନକୁ ନେଇ ଗତିଶୀଳ। ଏଥିରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ଦେଖିବାକୁ ମିଳିବ।

୨୧ ଜାନୁୟାରୀରେ ପରଦାକୁ ଆସିବ ବିକ୍କି କୌଶଲଙ୍କ ଫିଲ୍ମ ‘ଭୂତ ପାର୍ଟ-୧’। ଏହାକୁ ଟକ୍କର ଦେବ ଆୟୁଷ୍ମାନ୍‌ ଖୁରାନ୍ନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଥିବା ଆୟୁଷ୍ମାନ୍‌ ଏହି ଫିଲ୍ମରେ ଜଣେ ଗେ’ ଭୂମିକାରେ ନଜରକୁ ଆସିବେ।

ସେହିଭଳି ୨୪ ଜାନୁୟାରୀରେ ବରୁଣ ଧାଓ୍ବନ-ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର’ ପରଦାକୁ ଆସିବ। ଦମ୍‌ଦାର ନୃତ୍ୟ ସାଙ୍ଗକୁ ଆକ୍ସନର ତଡ୍‌କା ଏଥିରେ ଦର୍ଶକ ଦେଖିବାକୁ ପାଇବେ। ଏହି ଦିନ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ପଙ୍ଗା’ ମଧ୍ୟ ରିଲିଜ୍‌ ହେବା ସ୍ଥିର ହୋଇଛି। ଏହା ବରୁଣଙ୍କ ଫିଲ୍ମକୁ ଟକ୍କର ଦେବ ବୋଲି ଅନୁମାନ କରାଯାଉଛି।

ଏହାବ୍ୟତୀତ ଟାଇଗର ଶ୍ରଫଙ୍କ ‘ବାଗି-୩’ ମଧ୍ୟ ରିଲିଜ ଅପେକ୍ଷାରେ। ତାପସି ପନ୍ନୁଙ୍କ ‘ଥପ୍ପଡ଼’ ଫେବୃୟାରୀରେ ରିଲିଜ ହେବ ବୋଲି କୁହାଯାଉଛି। ଜାହ୍ନବୀ କପୁରଙ୍କ ଫିଲ୍ମ ‘ଗୁଞ୍ଜନ ସକ୍ସେନା’, ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’, ରଣବୀର କପୁରଙ୍କ ‘୮୩’, ବରୁଣ-ସାରାଙ୍କ ‘କୁଲି ନଂ ୧’, ବିଦ୍ୟା ବଲାନଙ୍କ ‘ଶଙ୍କୁନ୍ତଳା ଦେବୀ’, ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’, ସଲ୍‌ମାନ ଖାନ୍‌ଙ୍କ ‘ରାଧେ’, ସଞ୍ଜୟ ଦତ୍ତ-ପୂଜା ଭଟ୍ଟଙ୍କ ଫିଲ୍ମ ‘ସଡକ-୨’, ଫର୍‌ହାନଙ୍କ ଫିଲ୍ମ ‘ତୁଫାନ’, ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’, କଙ୍ଗନାଙ୍କ ଅନ୍ୟ ଏକ ଫିଲ୍ମ ‘ଥାକଡ଼’, ଅମିର ଖାନ୍‌ଙ୍କ ‘ଲାଲ ସିଂ ଚଢ଼ା ପ୍ରମୁଖ ପରଦାକୁ ଆସିବ।

Share