Categories: ଖେଳ

୨୦୨୦ ପରେ ପେସ୍‌ ଅବସର ନେବେ

ନୂଆଦିଲ୍ଲୀ,୨୬।୧୨(ପି.ଟି.)- ଭାରତୀୟ ଟେନିସ ଆଇକନ୍‌ ଲିଆଣ୍ଡର ପେସ୍‌ ୨୦୨୦ ପରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆସନ୍ତାବର୍ଷ ହେବ ତାଙ୍କ ଗୌରବମୟ କ୍ୟାରିୟରର ଶେଷ ବର୍ଷ। ବିଶ୍ୱବ୍ୟାପୀ ଥିବା ସେ ତାଙ୍କ ପ୍ରଶଂସକଙ୍କ ସହ ମିଶିବା ଓ ମଉଜ କରିବା ପାଇଁ ଆସନ୍ତାବର୍ଷ କେତୋଟି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ ବୋଲି ପେସ୍‌ ଟୁଇଟ କରି ଉଲ୍ଲେଖ କରିଛନ୍ତି। ୪୬ ବର୍ଷୀୟ ପେସ୍‌ଙ୍କ ଫର୍ମ ସେତେଟା ଭଲ ନାହିଁ। କ୍ୟାରିୟରରେ ସେ ୧୮ଟି ଗ୍ରାଣ୍ଡସ୍ଳାମ ଟାଇଟଲ ଅର୍ଜନ କରିଛନ୍ତି। ଶେଷଥର ପାଇଁ ସେ ୨୦୧୬ରେ ଫ୍ରେଞ୍ଚ୍‌ ଓପନ୍‌ ମିକ୍ସଡ ଡବଲ୍ସ ଟାଇଟଲ ଅର୍ଜନ କରିଥିଲେ। ଡେଭିସ୍‌ କପ୍‌ ଇତିହାସରେ ସେ ସର୍ବାଧିକ ୪୪ଟି ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଦୀର୍ଘ ୧୯ ବର୍ଷପରେ ସେ ପ୍ରଥମଥର ପାଇଁ ଶ୍ରେଷ୍ଠ-୧୦୦ରୁ ବାଦ୍‌ ପଡିଛନ୍ତି। ୨୦୨୦ କ୍ୟାରିୟରର ଶେଷ ବର୍ଷ ହେବ ବୋଲି ସେ କହିଛନ୍ତି। ଇତିହାସର ଏକମାତ୍ର ଖେଳାଳିଭାବେ ପେସ୍‌ କ୍ରମାଗତ ଅଷ୍ଟମ ଅଲିମ୍ପିକ୍ସ ଖେଳିବାର ଲକ୍ଷ୍ୟରେ ରହିଛନ୍ତି। ପାଖାପାଖି ୩ ଦଶନ୍ଧିର କ୍ୟାରିୟରରେ ପେସ୍‌ ବେଶ୍‌ ସଫଳ ରହିଛନ୍ତି। ବ୍ରେନ୍‌ ଟ୍ୟୁମରରୁ ସେ ଆରୋଗ୍ୟ ଲାଭ କରି ପୁଣି ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏକମାତ୍ର ଟେନିସ ଖେଳାଳିଭାବେ ସେ ଭାରତ ପାଇଁ ଅଲିମ୍ପିକ୍ସ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ସେ ବ୍ରେଞ୍ଜ୍‌ ପଦକ ଜିତିଥିଲେ। ୯୦ ଦଶକରେ ସେ ନିଜ ଦେଶର ମହେଶ ଭୂପତିଙ୍କ ସହ ମିଶି ଡବଲ୍ସରେ ସଫଳତାର ଶୀର୍ଷକୁ ଛୁଇଁଥିଲେ। ଦୁହେଁ ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା ସହ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷସ୍ଥାନ ହାସଲ କରିଥିଲେ।

Share