୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଲୋକସେବା ଭବନରେ ଆୟୋଜିତ ଏକ ସମୀକ୍ଷା ବୈଠକ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଏହି ସୂଚନା ଦେଇଛନ୍ତି । ଏଥିସହ ସମସ୍ତ ପୌରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ରେ ରାସ୍ତା ଆଲୋକୀକରଣ କାର୍ଯ୍ୟ ମଧ୍ୟ ସମାନ ସମୟରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ବୈଠକରେ ମୁଖ୍ୟତଃ ବାଲେଶ୍ୱର ଜିଲାର ୪ଟି ପୌରାଞ୍ଚଳର ସମୀକ୍ଷା କରାଯାଇଥିଲା। ବିଦ୍ୟୁତ ଖୁଣ୍ଟ ନଥିଲେ, ନୂତନ ଖୁଣ୍ଟ ବସାଯାଇ ଏହି ଆଲୋକୀକରଣ ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି କାର୍ଯ୍ୟ ସରିବ ବୋଲି କୁହାଯାଇଛି। ବାଲେଶ୍ୱର ଜିଲାର ବାଲେଶ୍ୱର, ସୋର ଓ ଜଳେଶ୍ୱର ପୌରପରିଷଦ ଏବଂ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାନୀୟ ଜଳଯୋଗାଣ, ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଙ୍ଗ୍‌ ସେଣ୍ଟର), ସ୍ମାର୍ଟ ପାର୍କ, ଶ୍ମଶାନ ଆଦି ସମ୍ବନ୍ଧରେ ବୈଠକରେ ଆଲୋଚନା ହୋଇଥିଲା । ସମୀକ୍ଷାରୁ ଜଣାଯାଇଛି ଯେ, ନୀଳଗିରିର ସୋନନଦୀରୁ ନୀଳଗିରି ବ୍ଳକ୍‌ ଓ ଏନ୍‌ଏସିକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥି ପାଇଁ ଏକ ବୃହତ୍‌ ପ୍ରକଳ୍ପ କରାଯାଇଛି । ଏହା ସହ ଉତ୍ସ ଓ ଷ୍ଟୋରେଜ୍‌ ଉନ୍ନତିକରଣ ପାଇଁ ଏଷ୍ଟିମେଟ୍‌ ପ୍ରଦାନ ଓ ନୀଳଗିରିର ଜଗନ୍ନାଥ ମନ୍ଦିରକୁ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ନିକଟରେ ପାନୀୟ ଜଳର ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Share