୨୦୨୦ ସୁଦ୍ଧା ସବୁ ଗାଁରେ ପହଞ୍ଚିବ ଇଣ୍ଟରନେଟ୍‌

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ସିଏସ୍‌ଆଇ-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏପରି ଏକ ସର୍ବବୃହତ ଆଇଟି ସମ୍ମିଳନୀ ଅନୁଷ୍ଠିତ ହେଉଛି ଯେଉଁଠାରେ ସାରାଦେଶର ହଜାରରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର ପ୍ରଫେସନାଲ ଓ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି। ସମ୍ମିଳନୀରେ ‘ଡିଜିଟାଲ ଗଣତନ୍ତ୍ର-ପରିବର୍ତ୍ତନ ପାଇଁ ଆଇଟି’ ଶୀର୍ଷକ ବିଷୟ ଉପରେ ଆଲୋଚନା କରାଯାଇଛି।
ଗୁରୁବାର କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀକୁ ସଭାପତି ତଥା ଲୋକପାଳ ପିନାକୀ ଚନ୍ଦ୍ର ଘୋଷ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀ (ସ୍କାଇପି ମାଧ୍ୟମରେ) ମୁଖ୍ୟ ଅତିଥିଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ ଓ ଆଇଟି ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଆଇସିଟିଇର ସଦସ୍ୟ ସଚିବ ରାଜୀବ କୁମାର, ଆଇଏଫଆଇପିର ଅଧ୍ୟକ୍ଷ ପ୍ରଫେସର ମାଇକ ହିନଚେ, କିଟ୍‌ର ଉପକୁଳପତି ପ୍ରଫେସର ଡ. ସସ୍ମିତା ସାମନ୍ତ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମନ୍ତ୍ରୀ ବେହେରା କହିଛନ୍ତି, ଗଣତନ୍ତ୍ର ଓ ସମାଜରେ ଡିଜିଟାଲ ପ୍ରଯୁକ୍ତିର ଅନ୍ତର୍ଭୁକ୍ତୀକରଣ ହେବା ଆବଶ୍ୟକ। ଡିଜିଟାଲ ଡେମୋକ୍ରାସିକୁ ସାକାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଦେଶର ପ୍ରତି ଗାଁକୁ ସଂଯୋଗ କରାଯାଉଛି। ୨୦୨୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଜିଲାର ସବୁ ଗାଁରେ ଇଣ୍ଟରନେଟ ସଂଯୋଗ ପହଞ୍ଚିବ। ସେହିପରି ଇ-ପ୍ରଶାସନ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶର ୫ଟି ପ୍ରମୁଖ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ବୋଲି ସେ କହିଛନ୍ତି।
ସମ୍ମିଳନୀର ପ୍ରଥମ ଦିନରେ ସିଏସଆଇ ପକ୍ଷରୁ ସିଏସଆଇ ୨୦୨୦ ଲାଇଫଟାଇମ ପୁରସ୍କାର ଡ. ଉତ୍ପଲ କୁମାର ବାନାର୍ଜୀ, ପ୍ରଫେସର ବିଏଲ. ଦୀକ୍ଷାତୁଲୁ, ଏଚଆର ମୋହନ, ରବୀନ୍ଦ୍ରନାଥ ଲାହିରି, ଫେଲୋ ବି.କେ. ପଟେଲ, ଅନିର୍ବାଣ ମୁଖାର୍ଜୀ, ଫେଲୋ ରାମସ୍ବାମୀ, ପ୍ରଫେସର ଆଲିସେରୀ ଗୋବର୍ଦ୍ଧନ ଓ ଡ.ଏସ.ଅରୁମୁଗନଙ୍କୁ ପ୍ରଦାନ କରାଯାଇଥିଲା। ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଏସଆଇ ଇ-ରତ୍ନ ପୁରସ୍କାର ଦିଆଯିବ। ଏହାଛଡ଼ା ଅନ୍ୟ ଅତିଥିଙ୍କୁ ଲାଇଫଟାଇମ ପୁରସ୍କାର, ଅନରେବଲ ଫେଲୋ ଓ ଫେଲୋ, ଏସଆଇଜି ସିଏସଆଇ ଇ-ପ୍ରଶାସନ ପୁରସ୍କାର ପ୍ରଦାନ କରାଯିବ।

Share