Categories: ଖେଳ

୨୦୨୦ ୟୁରୋପିଆନ୍‌ ଚାମ୍ପିୟନଶିପ୍‌: ଯୋଗ୍ୟତା ହାସଲ କଲେ ନେଦରଲାଣ୍ଡ୍ସ, ଜର୍ମାନୀ, କ୍ରୋଏସିଆ

ପ୍ୟାରିସ୍‌,୧୭।୧୧(ଏଏଫ୍‌ପି): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ୟୁରୋପ ମହାଦେଶର ସର୍ବବୃହତ୍‌ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ୟୁରୋପିଆନ ଚାମ୍ପିୟନଶିପ ଖେଳିବାକୁ ଆଉ ୩ଟି ଶକ୍ତିଶାଳୀ ଦେଶ ଯୋଗ୍ୟତା ଅର୍ଜନ କରିଛନ୍ତି। ନେଦରଲାଣ୍ଡ୍ସ, ଜର୍ମାନୀ ଓ ବିଶ୍ୱକପ୍‌ ଫାଇନାଲିଷ୍ଟ କ୍ରୋଏସିଆ ୟୁରୋ ଟିକେଟ ହାସଲ କରିଛନ୍ତି। ୟୁରୋପର ୧୨ ଦେଶ ମିଳିତ ଭାବେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବେ ଓ ଏଥିରେ ୨୪ଟି ଦଳ ଅଂଶଗ୍ରହଣ କରିବେ। ଏହା ରୋମରେ ଜୁନ୍‌ ୧୨ ତାରିଖରୁ ଆରମ୍ଭ ହେବ। ଏପର୍ଯ୍ୟନ୍ତ ୧୬ଟି ଦେଶ ଏହି ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟତା ହାସଲ କରିସାରିଛନ୍ତି। ପୂର୍ବରୁ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ, ସ୍ପେନ୍‌, ଇଟାଲୀ, ଇଂଲଣ୍ଡ, ଭଳି ହାଇପ୍ରୋଫାଇଲ ଦଳ କ୍ୱାଲିଫାଏ କରିସାରିଛନ୍ତି। ୟୁରୋପିଆନ ଚାମ୍ପିୟନ ପର୍ତ୍ତୁଗାଲ ଆଉ ଗୋଟିଏ ବିଜୟ ହାସଲ କଲେ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟତା ହାସଲ କରିବ।
୧୯୭୨ ପରଠାରୁ ଜର୍ମାନୀ ରେକର୍ଡ କ୍ରମାଗତ ୧୩ ଥର ପାଇଁ ୟୁରୋ କପ୍‌ ଖେଳିବ। ଜର୍ମାନୀ ଶନିବାର ୪-୦ ଗୋଲରେ ବେଲାରୁଷକୁ ହରାଇ ମୁଖ୍ୟ ଡ୍ର’ରେ ପ୍ରବେଶ କରିଛି। ଜର୍ମାନୀ ତରଫରୁ ଟୋନି କ୍ରୁସ୍‌ ଦୁଇଟି ଗୋଲ ସ୍କୋର କରି ଜର୍ମାନୀକୁ ଜିତାଇବା ସହ ଗ୍ରୁପ୍‌ ସି’ର ଶୀର୍ଷରେ ପହଞ୍ଚାଇଥିଲେ। ସେହିପରି ବେଲଫାଷ୍ଟରେ ଖେଳାଯାଇଥିବା ଉତ୍ତର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌କୁ ଗୋଲଶୂନ୍ୟ ଭାବେ ଡ୍ର ରଖି ନେଦରଲାଣ୍ଡ୍ସ କ୍ୱାଲିଫାଏ କରିଛି। ୨୦୧୪ ବିଶ୍ୱକପ୍‌ ପରେ ନେଦରଲାଣ୍ଡ୍ସ ପ୍ରଥମଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି। ଅଷ୍ଟ୍ରିଆ, ପୋଲଣ୍ଡ ମଧ୍ୟ ୟୁରୋକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି କ୍ରୋଏସିଆ ୩-୧ ଗୋଲରେ ସ୍ଲୋଭାକିଆକୁ ପରାସ୍ତ କରି ୟୁରୋ କପ୍‌ ଟିକେଟ ହାସଲ କରିଛି।

Share