Categories: ଖେଳ

୨୦୨୧ରେ ହୋଇପାରେ ୧୯ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୦।୨- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପୁରୁଷ ଇଭେଣ୍ଟ ବହୁ ଲୋକପ୍ରିୟତା ଓ ସଫଳତା ହାସଲ କରିଛି। ଏବେ ଆଇସିସି ସମାନ ବୟସ ବର୍ଗରେ ମହିଳା ବିଶ୍ୱକପ୍‌ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଏହା ଯୁବା ମହିଳା କ୍ରିକେଟରଙ୍କ ପାଇଁ ଶୁଭ ଖବର। ଏହି ଇଭେଣ୍ଟ ଆୟୋଜନ ପାଇଁ ବିଡ୍‌ ଦାଖଲ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ଆଇସିସି। ଏହା ଆଗାମୀ ବର୍ଷଠାରୁ ଆରମ୍ଭ କରିବା ନେଇ ଯୋଜନା ରହିଛି। ଆଗାମୀ ଫ୍ୟୁଚର ଟୁର ପ୍ରୋଗ୍ରାମ (ଏଫ୍‌ଟିପି)ରେ ୨୦୨୩ରୁ ୩୧ ମଧ୍ୟରେ ଆଇସିସି ତା’ର ପୁରୁଷ ଇଭେଣ୍ଟ ସଂଖ୍ୟା ବୃଦ୍ଧି କରୁଥିବାବେଳେ ମହିଳା କ୍ରିକେଟଙ୍କ କଥା ଭୁଲି ଯାଇନାହିଁ। ଗତ ବୋର୍ଡ ବୈଠକରେ ଆଇସିସି ୨୦୨୩ରୁ ୩୧ ମଧ୍ୟରେ ୪ଟି ୧୯ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଇଭେଣ୍ଟକୁ ମଞ୍ଜୁରୀ ଦେଇଛି। କିନ୍ତୁ ଏହାକୁ ୨୦୨୧ ସୁଦ୍ଧା ଆରମ୍ଭ କରିବାକୁ ପଡ଼ିବ ବୋଲି ଆଇସିସି ସୂତ୍ରରୁ ଜଣାପଡ଼ିଛି। ୧୯ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଦ୍ୱାରା ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ସୁଯୋଗ ପ୍ରଦାନ କରାଯାଇପାରିବ। ତେବେ ଇଭେଣ୍ଟଟି କେଉଁ ଫର୍ମାଟରେ ଖେଳାଯିବ, ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ୍‌ ୫୦ ଓଭରିଆ ଫର୍ମାଟରେ ଖେଳାଯାଉଥିବାବେଳେ ମହିଳାଙ୍କ ଇଭେଣ୍ଟ ଟି୨୦ ଫର୍ମାଟରେ ଖେଳାଯାଇପାରେ। ଏହା ଦ୍ୱାରା ଅଧିକରୁ ଅଧିକ ଦଳ ଏଥିରେ ଅଂଶଗ୍ରହଣ କରିପାରିବେ। ଏବେ ପ୍ରାୟ ଦେଶରେ ଯୁବା ମହିଳା କ୍ରିକେଟରଙ୍କ ପାଇଁ ଭଲ ବ୍ୟବସ୍ଥା ନାହିଁ। ଆଇସିସି ଫୁଲ ସଦସ୍ୟଙ୍କ ବ୍ୟତୀତ ଆସୋସିଏଟ୍‌ ଦେଶମାନେ ଏହି ଇଭେଣ୍ଟରେ ଭାଗନେବେ।

Share