୨୦୨୧ ଜନଗଣନା,ଏନ୍‌ପିଆର ସ୍ଥଗିତ ରହୁ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ୨୦୨୧ ଜନଗଣନା ଓ ନ୍ୟାଶନାଲ ପପୁଲେଶନ ରେଜିଷ୍ଟ୍ରାର(ଏନ୍‌ପିଆର) ଅପ୍‌ଡେଟ ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ୨୦୨୧ ଜନଗଣନା ଏବଂ ଏନ୍‌ପିଆର କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହି ଅନୁଯାୟୀ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା, ଜନଗଣନା ଏବଂ ବର୍ତ୍ତମାନ ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ ଲାଗି ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ସରିଛି। ଏହି ପ୍ରକ୍ରିୟାରେ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଦେଶର ପ୍ରାୟ ୩୦ଲକ୍ଷ କର୍ମଚାରୀ ନିୟୋଜିତ ହେବେ। ଏଥିଲାଗି ସେହି କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ଟ୍ରେନିଂ, ସଚେତନତା ପ୍ରଚାର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ମାତ୍ର କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ବର୍ତ୍ତମାନ ପରିସ୍ଥିତିରେ ଜନସଂଖ୍ୟା ଗଣନା କାର୍ଯ୍ୟ କରା ନ ଯିବା ଆବଶ୍ୟକ। କରୋନା ସହ ଲଢିବାକୁ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜନଗଣନା କାର୍ଯ୍ୟ ଆରମ୍ଭ ହେଲେ ଏଥିରେ ସମ୍ପୃକ୍ତ କର୍ମଚାରୀ ଏବଂ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି ହେବ। ଲୋକଙ୍କ ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ବର୍ତ୍ତମାନ ଦେଶରେ ଉକ୍ତ କାର୍ଯ୍ୟକ୍ରମ ବନ୍ଦ କରାଯାଉ ବୋଲି ସେ କହିଛନ୍ତି।

Share