Categories: ଖେଳ

୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବାକୁ ଅଷ୍ଟ୍ରେଲିଆର ପରାମର୍ଶ

ସିଡନୀ, ୨୪।୩- ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ନାହିଁ ବୋଲି ଅଷ୍ଟ୍ରେଲିଆ ହୃଦୟଙ୍ଗମ କରିଛି। ଫଳରେ ୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବାକୁ ଅଷ୍ଟ୍ରେଲିଆନ ଅଲିମ୍ପିକ ଅଫିସିଆଲମାନେ ନିଜ ଦେଶର ଆଥଲେଟମାନଙ୍କୁ ପରାମର୍ଶ ଦେଇଛନ୍ତି। ସୋମବାର ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି (ଏଓସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅର୍ଥାତ୍‌ ଜୁଲାଇରେ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ନାହିଁ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଜୁଲାଇରେ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି ବୋଲି ଅଷ୍ଟ୍ରେଲିଆନ ଚିଫ୍‌ ଡି ମିଶନ ଇଆନ ଚେଷ୍ଟେରମ୍ୟାନ କହିଛନ୍ତି। ଆଥଲେଟମାନ ପ୍ରସ୍ତୁତି ଚାଲୁ ରଖିଥିଲେ ମଧ୍ୟ ଚାପରେ ରହୁଛନ୍ତି। ତେଣୁ ସେମାନଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି ହେବା ସହ ଚ୍ୟାଲେଞ୍ଜ ମଧ୍ୟ ରହିଛି ବୋଲି ଏଓସି ମୁଖ୍ୟ କାର୍ଯ୍ୟନିର୍ବାହୀ ମ୍ୟାଟ କାରୋଲ କହିଛନ୍ତି। ଏବେ ଆଥଲେଟ୍‌ମାନେ ଦେଶ କିମ୍ବା ବିଦେଶରେ ଏକାଠି ହୋଇପାରିବେ ନାହିଁ। ଆଥଲେଟ୍‌ମାନେ ବିଦେଶରେ ଓ ଦେଶର ବିଭିନ୍ନ ସ୍ଥାନରେ ଅଭ୍ୟାସ ଜାରି ରଖିଛନ୍ତି। ତେବେ ଟ୍ରାଭେଲ ରେଷ୍ଟ୍ରିକ୍‌ଶନ ଜାରି ହୋଇଥିବାରୁ ସମସ୍ୟା ଉପୁଜିଛି। ଏଓସିର ଏହି ନିଷ୍ପତ୍ତିକୁ ସୁଇମିଂ ଅଷ୍ଟ୍ରେଲିଆ ମୁଖ୍ୟ ଲେହ ରସେଲ ସମର୍ଥନ କରିଛନ୍ତି। ଆସନ୍ତାବର୍ଷ ପର୍ଯ୍ୟନ୍ତ ଅଲିମ୍ପିକ୍ସ ସ୍ଥଗିତ ରଖାଗଲେ ଭଲ ହେବ ବୋଲି ଚେଷ୍ଟରମ୍ୟାନ କହିଛନ୍ତି। ଏହା ହୋଇପାରିଲେ ବିଶ୍ୱବ୍ୟାପୀ ଆଥଲେଟ୍‌ମାନେ ଠିକ୍‌ ରୂପେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରିପାରିବେ। ସାରା ବିଶ୍ୱ ଏକାଠି ହୋଇପାରିଲେ ଅଲିମ୍ପିକ୍ସ ସଫଳ ହେବ ବୋଲି ସେ କହିଛନ୍ତି।

Share