Advertisement

୨୦୨୧ ଫେବୃୟାରୀରେ ଜନଗଣନା

ନୂଆଦିଲ୍ଲୀ,୨ା୭(ପି.ଟି.): ୨୦୨୧ ଜନଗଣନା ଲାଗି ଆସନ୍ତା ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସାରା ଦେଶରେ ପ୍ରାକ୍‌ ପରୀକ୍ଷା କରାଯିବ ବୋଲି ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିଶନର ବିବେକ ଜୋଷୀ ଘୋଷଣା କରିଛନ୍ତି।
ଭାରତର ୧୪୦ ବର୍ଷର ଜନଗଣନା ଇତିହାସରେ ପ୍ରଥମ ଥର ଲାଗି ମୋବାଇଲ ଆପ୍‌ ବ୍ୟବହାର ହେବାକୁ ଯାଉଛି। ଏହା ବିଶ୍ୱରେ ସର୍ବବୃହତ ଜନଗଣନା କାର୍ଯ୍ୟ ଯେଉଁଥିରେ ମୋଟ ୩୩ ଲକ୍ଷ କର୍ମଚାରୀ ନିୟୋଜିତ ହେବେ। ସେମାନେ ଘରକୁ ଘର ଯାଇ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜନଗଣନା କେବଳ ମୁଣ୍ଡଗଣତି ନୁହେଁ, ଏଥିରୁ ମୂଲ୍ୟବାନ୍‌ ସାମାଜିକ-ଅର୍ଥନୈତିକ ତଥ୍ୟ ସଂଗ୍ରହ ହୋଇଥାଏ, ଯାହା ସରକାରଙ୍କୁ ବିଭିନ୍ନ ନୀତି ପ୍ରଣୟନ କରିବା ଓ ପାଣ୍ଠି ମଞ୍ଜୁର କରିବାରେ ସହାୟକ ହୋଇଥାଏ।
୨୦୨୧ ଜନଗଣନା ଦୁଇ ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟୟରେ ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଘର ଗଣନା କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରକୃତ ଜନଗଣନା ୨୦୨୧ ଫେବୃୟାରୀ ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ମାର୍ଚ୍ଚ ୧ରୁ ୫ ମଧ୍ୟରେ ଏହାର ପୁନରାବଲୋକନ କରାଯିବ। ତେବେ ତୁଷାରପାତ ହେଉଥିବା ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଜନଗଣନା ୨୦୨୦ ସେପ୍ଟେମ୍ବର ୧୧ରୁ ୩୦ ମଧ୍ୟରେ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share