Categories: ଖେଳ

୨୦୨୧ ମହିଳା ବିଶ୍ୱକପ୍‌ରେ ରହିଛି ୩ ରିଜର୍ଭ ଡେ

ଅକ୍‌ଲାଣ୍ଡ,୧୧।୩- ନ୍ୟୁଜିଲାଣ୍ଡରେ ହେବାକୁ ଥିବା ୨୦୨୧ ମହିଳା ବିଶ୍ୱକପର କାର୍ଯ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ଏହି ଇଭେଣ୍ଟର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ପାଇଁ ୩ ରିଜର୍ଭ ଡେ’ ରଖାଯାଇଛି। ନିକଟରେ ଶେଷ ହୋଇଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ରେ ରିଜର୍ଭ ଡେ ନ ଥିବାରୁ ଭାରତ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ଏଥିଯୋଗୁ ଅନ୍ତର୍ଜାତୀୟ କ୍ରିକେଟ କାଉନି୍ସଲ (ଆଇସିସି)କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ନ୍ୟୁଜିଲାଣ୍ଡର ୬ଟି ଭେନ୍ୟୁରେ ମୋଟ ୩୧ ମ୍ୟାଚ୍‌ ଖେଳାଯିବ। ଭେନ୍ୟୁଗୁଡ଼ିକ ହେଲା ଅକ୍‌ଲାଣ୍ଡ, ହାମିଲଟନ, ଟୌରାଙ୍ଗ, ଓ୍ବେଲିଂଟନ, ଖ୍ରିଷ୍ଟଚର୍ଚ୍ଚ ଓ ଡୁନେଡିନ। ଦୁଇଟି ସେମିଫାଇନାଲ ମ୍ୟାଚ୍‌ ଟୌରାଙ୍ଗ ଓ ହାମିଲଟନଠାରେ ମାର୍ଚ୍ଚ ୩ ଓ ୪ ତାରିଖରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ ହେଗ୍‌ଲେ ଓଭାଲରେ ୭ ତାରିଖରେ ଅନୁଷ୍ଠିତ ହେବ। ଆୟୋଜକ ନ୍ୟୁଜିଲାଣ୍ଡ ଫେବୃୟାରୀ ୬ରେ ଏକ କ୍ୱାଲିଫାୟର୍ସ ଦଳ ସହ ଖେଳି ଅଭିଯାନ ଆରମ୍ଭ କରିବ। ୨୦୨୧ ବିଶ୍ୱକପ୍‌ ଲାଗି କେବଳ ୪ ଦଳ ଅଷ୍ଟ୍ରେଲିଆ, ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆୟୋଜକ ନ୍ୟୁଜିଲାଣ୍ଡର ସ୍ଥାନ ସ୍ପଷ୍ଟ ହୋଇଛି। ଅନ୍ୟ ଦଳମାନେ ମହିଳା ଚାମ୍ପିୟନଶିପ୍‌ ଓ ଯୋଗ୍ୟତା ପର୍ଯ୍ୟାୟରୁ ଉନ୍ନୀତ ହେବେ।

Share