୨୦୨୧ ଯାଏ ରହିବ କରୋନା

ନୂଆଦିଲ୍ଲୀ,୨୮ା୫(ପି.ଟି.): ଭାରତରେ କରୋନା ସଂକ୍ରମଣ ୨୦୨୧ ପର୍ଯ୍ୟନ୍ତ ରହିବ। ଏହାର ସଂକ୍ରମଣକୁ କମାଇବାକୁ ହେଲେ କୋଭିଡ୍‌ ପରୀକ୍ଷାକୁ ଅତ୍ୟଧିକ ବଢ଼ାଇବାକୁ ପଡ଼ିବ ବୋଲି ବୁଧବାର ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବାକୁ ବର୍ଷେ ସମୟ ଲାଗିଯିବ ବୋଲି ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶିଷ ଝା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଠୋର ଲକ୍‌ଡାଉନ ଭାରତର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେବ। ସେଥିପାଇଁ ନୂଆଦିଲ୍ଲୀ କୋହଳ ଲକ୍‌ଡାଉନ ଆପଣାଇବା ଆବଶ୍ୟକ ବୋଲି ସ୍ବିଡେନ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଜୋହାନ ଜିସେକେ ମତ ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ ସମ୍ପର୍କରେ ବିଶେଷଜ୍ଞମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ, ଯାହା ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହୋଇଛି। ଲକ୍‌ଡାଉନ ପରେ ଅର୍ଥନୈତିକ କାରବାର ସମ୍ପୂର୍ଣ୍ଣ ଆରମ୍ଭ ହେଲେ, ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆଣିବାକୁ ହେବ ବୋଲି ହାର୍ଭାର୍ଡ ଗ୍ଲୋବାଲ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ଝା କହିଛନ୍ତି। ତାଙ୍କ କହିବା ଅନୁଯାୟୀ କରୋନା ଭୂତାଣୁ ହେଉଛି ୧୨-୧୮ ମାସର ସମସ୍ୟା। ୨୦୨୧ ପର୍ଯ୍ୟନ୍ତ ବିଶ୍ୱ ଏହି ସମସ୍ୟାରୁ ମୁକ୍ତ ହେବ ନାହିଁ।
କୋଭିଡ୍‌-୧୯ ପରେ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବ ବୋଲି ରାହୁଲ କହିଛନ୍ତି। ୯/୧୧କୁ ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଥିବାବେଳେ କୋଭିଡ୍‌ ଏକ ନୂଆ ପୁସ୍ତକ ହେବ ବୋଲି ସେ ମତ ଦେଇଛନ୍ତି। ଭାରତରେ ଯେତେ ସମ୍ଭବ କୋହଳ ଲକ୍‌ଡାଉନ ଆବଶ୍ୟକ ବୋଲି ୟୁରୋପୀୟ ସେଣ୍ଟର ଫର ଡିଜିଜ୍‌ ପ୍ରିଭେନ୍‌ଶନ ଆଣ୍ଡ କଣ୍ଟ୍ରୋଲ୍‌ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପ୍ରଫେସର ଗେସେକେ କହିଛନ୍ତି।

Share