Categories: ଖେଳ

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିପାରେ ଆଇଓଏ

ନୂଆଦିଲ୍ଲୀ,୨୨।୬: ୨୦୨୨ରେ ବର୍ମିଂହାମଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଓହରିଯାଇପାରେ। ପ୍ରତିଯୋଗିତାର ଇଭେଣ୍ଟ ତାଲିକାରେ ଶୁଟିଂ ଓ ଆର୍ଚେରି (ରିକର୍ଭ) ସାମିଲ ହେଉନାହିଁ। ଏହାକୁ ବିରୋଧ କରି ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହଟା ଓହରିବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗୋଟିଏ ମାସ ମଧ୍ୟରେ ନିଷ୍ପତ୍ତି କରାଯିବ ବୋଲି ଦିଲ୍ଲୀଠାରେ ଅନୁଷ୍ଠିତ ଆଇଓଏର କାର୍ଯ୍ୟକାରୀ କମିଟି (ଇସି)ରେ ମେହଟା କହିଛନ୍ତି। ଆମେ ଏହାକୁ ବହୁତ ଗୁରୁତ୍ୱ ଦେଉଛୁ। ଶୁଟିଂରେ ଆମେ ସବୁଠୁ ଅଧିକ ପଦକ ପାଉ। ଏହି କ୍ରୀଡ଼ାର ଲମ୍ବା ଇତିହାସ ରହିଛି। ଇଭେଣ୍ଟକୁ ବାଦ୍‌ ଦିଆଯିବା ନିଷ୍ପତ୍ତି ନିଆଯାଇ ସାରିଛି ଓ ବଦଳାଇ ହେବ ନାହିଁ। କିନ୍ତୁ ଏହାକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌)ର ସଦସ୍ୟମାନେ ସ୍ପଷ୍ଟ କରିନାହାନ୍ତି ବୋଲି ମେହେଟା ଲଣ୍ଡନରୁ ଫୋନ ଯୋଗେ କହିଛନ୍ତି। ସିଜିଏଫ୍‌ ଏକ୍ସିକ୍ୟୁଟିଭ ବୋର୍ଡରେ ୨୦୨୨ ସଂସ୍କରଣରୁ ଶୁଟିଂ ଓ ଆର୍ଚେରୀ (ରିକର୍ଭ)କୁ ବାଦ୍‌ ଦେଇ ମହିଳା ଟି୨୦ କ୍ରିକେଟ, ପାରା ଟେବୁଲ ଟେନିସ ଓ ବିଚ ଭଲିବଲ ଇଭେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାକୁ ୭୧ ସଦସ୍ୟଙ୍କ ମଧ୍ୟରୁ ୫୧ ପ୍ରତିଶତ ଅର୍ଥାଥ ୩୬ ସଦସ୍ୟଙ୍କ ସମର୍ଥନ ଦରକାର, ଯାହାକି ଏବେ ଔପଚାରିକ ମାତ୍ର। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଶୁଟରମାନେ ୭ ସ୍ବର୍ଣ୍ଣ ସମେତ ମୋଟ ୧୬ ପଦକ ଜିତିଥିଲେ। ଆର୍ଚେରି କେବଳ ଦୁଇଟି ସଂସ୍କରଣରେ ସ୍ଥାନ ପାଇଛି। ଅନ୍ତିମ ଥର ୨୦୧୦ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀରେ ଏହି ଇଭେଣ୍ଟ ସାମିଲ ହୋଇଥିଲା। ଏଥିରେ ଭାରତ ୮ ପଦକ ଜିତିଥିଲା। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ତାଲିକାରେ ଅଷ୍ଟ୍ରେଲିଆ (୧୯୮) ଓ ଇଂଲଣ୍ଡ (୧୩୬) ପଛକୁ ୬୬ ପଦକ ସହ ଭାରତ ୩ୟ ସ୍ଥାନରେ ଥିଲା। ପରବର୍ତ୍ତୀ ସଂସ୍କରଣରେ ସମ୍ଭବତଃ କାନାଡା ଓ ନ୍ୟୁଜିଲାଣ୍ଡ ଭଳି ଦେଶ ଭାରତକୁ ଅତିକ୍ରମ କରିପାରେ।

Share