୨୦୨୨ ସୁଦ୍ଧା ବାଘ ସଂଖ୍ୟା ଦୁଇଗୁଣା ଯୋଜନା

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ସୋମବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ୫ମ ଆର୍ନ୍ତଜାତିକ ବାଘ ଦିବସ ପାଳିତ ହୋଇଯାଇଛି। ପୃଥିବୀର ୧୩ ଦେଶରେ ମହାବଳ ବାଘ ଦେଖା ଦିଅନ୍ତି। ବାଘ ସଂଖ୍ୟା କମିବା ଦ୍ୱାରା ଖାଦ୍ୟ ଶୃଙ୍ଖଳ ଓ ଜୌବ ବିବିଧତା ନଷ୍ଟ ହେଉଛି। ତେଣୁ ୨୦୧୦ ଜୁଲାଇ ୨୯ରୁ ବାଘର ସୁରକ୍ଷା ନେଇ ଆନ୍ତର୍ଜାତିକ ବାଘ ଦିବସ ପାଳନ ହେଉଛି। ୨୦୨୨ ସୁଦ୍ଧା ପୃଥିବୀରେ ବାଘ ସଂଖ୍ୟା ଦୁଇଗୁଣା କରିବା ଏହାର ଲକ୍ଷ୍ୟ। ବର୍ତ୍ତମାନ ପୃଥିବୀରେ ୩୯୦୦ ମହାବଳ ବାଘ ଥିବାବେଳେ ସେଥିମଧ୍ୟରୁ ଭାରତରେ ୨୯୬୭ଟି ଅଛି। ଓଡ଼ିଶାରେ ୨୮ ମହାବଳ ବାଘ ଅଛି। ପ୍ରତି ୪ ବର୍ଷରେ ବାଘ ଗଣନା ହେଉଛି। ୨୦୧୮ରେ ହୋଇଥିତ୍ବା ବାଘ ଗଣନା ରିପୋର୍ଟ ଆଜି ପ୍ରକାଶ ପାଇଛି। ସେଥିରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ୧୨ କଲରା ପତରିଆ ବାଘ ଥିବା ଜଣାପଡ଼ିଛି। ମହାବଳ ବାଘ ନାହିଁ। ବାଘର ସୁରକ୍ଷା କରିବାକୁ ହେଲେ ଶିକାର ରୋକିବା ସହ ସଚେତନତା ଜରୁରୀ। ଘଞ୍ଚ ଜଙ୍ଗଲ ସୃଷ୍ଟି ଓ ଶିକାର ରୋକାଗଲେ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ। ଆୟୋଜିତ ବୈଠକରେ ଯୋଗଦେଇ ବକ୍ତାମାନେ ତାହା ମତବ୍ୟକ୍ତ କରିଥିଲେ। ଏସିଏଫ୍‌ ସୁଦର୍ଶନ ବାଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ ସଭାରେ ଡ଼ିଏଫ୍‌ଓ ଅକ୍ଷୟ କୁମାର ଦଳେଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍‌ ଏମ୍‌. ମାଧବୀଲତା, ଅବସରପାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି, ସୁରେଶ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବାଘ ସଂଖ୍ୟା ବୃଦ୍ଧି କିଭଳି ହେବ ସେନେଇ କହିଥିଲେ।

Share