Categories: ଖେଳ

୨୦୨୩ ହକି ବିଶ୍ୱକପ୍‌ ଆୟୋଜନ: ବିଡ୍‌ ଦାଖଲ କଲା ଭାରତ

ଲାଉସେନ,୧୮।୧୦(ପି.ଟି.)- ୨୦୨୩ରେ ଆୟୋଜନ ହେବାକୁଥିବା ହକି ବିଶ୍ୱକପ୍‌ର ଆଗାମୀ ସଂସ୍କରଣ ଆୟୋଜନ କରିବାକୁ ଭାରତ ଦାବି ଉପସ୍ଥାପନା କରିଛି। ଭାରତ ସମେତ ୩ଟି ଦେଶ ଏ ନେଇ ବିଡ୍‌ ଦାଖଲ କରିଛନ୍ତି ବୋଲି ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସୂଚନା ଦେଇଛି। ପୂର୍ବରୁ ଭାରତ ୩ଥର ହକି ବିଶ୍ୱକପ୍‌ ବେଶ୍‌ ସଫଳତାର ସହ ଆୟୋଜନ କରିଛି। ପୁଣିଥରେ ଭାରତ ୨୦୨୩ ଜାନୁୟାରୀ ୧୩ରୁ ୨୯ ତାରିଖ ମଧ୍ୟରେ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛି।
ବିଡ୍‌ ଦାଖଲ କରିଥିବା ଅନ୍ୟ ଦୁଇ ଦେଶ ହେଲେ ବେଲଜିୟମ ଓ ମାଲେସିଆ। ଭାରତ ସମେତ ଏହି ଦୁଇ ଦେଶ ବିଡିଂ ଡୋଜିୟର ବା ଦସ୍ତାବିଜ୍‌ ଏଫ୍‌ଆଇଏଚ୍‌ ନିକଟକୁ ପଠାଇଛି। ତେବେ ଏହି ବିଶ୍ୱକପ୍‌କୁ ୨୦୨୨ ଜୁଲାଇ ୧ରୁ ୧୭ ତାରିଖ ମଧ୍ୟରେ ଆୟୋଜନ କରିବାକୁ ଅଗ୍ରାଧିକାର ଦେଇଛନ୍ତି।
ଅନ୍ୟପଟେ ମହିଳା ବିଶ୍ୱକପ୍‌ ଆୟୋଜନ ପାଇଁ ୫ଟି ଦେଶ ବିଡ୍‌ ଦାଖଲ କରିଛନ୍ତି। ଜର୍ମାନୀ, ସ୍ପେନ ଓ ନେଦରଲାଣ୍ଡ୍ସ ଏହି ମେଗା ଇଭେଣ୍ଟକୁ ୨୦୨୨ ଜୁଲାଇ ୧ରୁ ୧୭ ତାରିଖରେ ମଧ୍ୟରେ ଆୟୋଜନ କରିବାକୁ ଇଚ୍ଛା ଜାହିର କରିଛନ୍ତି। ସେହିପରି ମାଲେସିଆ ଓ ନ୍ୟୁଜିଲାଣ୍ଡ ଏହି ଟୁର୍ନାମେଣ୍ଟ ୨୦୨୩ ଜାନୁୟାରୀ ୧୩ରୁ ୨୯ ତାରିଖ ମଧ୍ୟ ଆୟୋଜନ କରିବାକୁ ଳକ୍ଷ୍ୟ ରଖିଛନ୍ତି। ବିଶ୍ୱକପ୍‌ ଆୟୋଜନ କରିବାକୁ ବହୁ ଦେଶ ଓ ଫେଡେରେଶନ ଇଚ୍ଛା ପ୍ରକାଶ କରିବା ଖୁସିର କଥା ଓ ଏହା ଦ୍ୱାରା ହକିର ଆହୁରି ପ୍ରଚାର ଓ ପ୍ରସାର ହେବ ବୋଲି ଏଫ୍‌ଆଇଏଚ୍‌ ସିଇଓ ଥିଏରି ଓ୍ବେଲ କହିଛନ୍ତି।
ଏଫ୍‌ଆଇଏଚ୍‌ ଟାକ୍ସ ଫୋର୍ସ ଏ ସଂକ୍ରାନ୍ତରେ ନଭେମ୍ବର ୬ ତାରିଖରେ ବୈଠକ ବସିବ ଓ ବିଡ୍‌ ଦାଖଲ କରିଥିବା ଦେଶଗୁଡିକର ଦସ୍ତାବିଜର ପରୀକ୍ଷା କରିବ। ଏହାପରେ କାର୍ଯ୍ୟନିର୍ବାହୀ ବୋର୍ଡ (ଇବି) ଅନୁମୋଦନ ପାଇଁ ଏହାକୁ ପଠାଯିବ। ନଭେମ୍ବର ୮ ତାରିଖରେ ଏଠାରେ ଏକ ବୈଠକରେ ବସି ଇବି ପୁରୁଷ ଓ ମହିଳା ବିଶ୍ୱକପ୍‌ ଆୟୋଜନ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନେବ।

Share