Categories: ଜାତୀୟ

୨୦୨୪ ସୁଦ୍ଧା ସାରା ଦେଶରେ ଏନ୍‌ଆର୍‌ସି: ସବୁ ଅନୁପ୍ରବେଶକାରୀ ବିଦାହେବେ

ରାଞ୍ଚି,୩ା୧୨(ପି.ଟି.): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କାର୍ଯ୍ୟକାରୀ ହେବାର ସମୟସୀମା ୨୦୨୪। ଏହି ସମୟ ମଧ୍ୟରେ ଦେଶରୁ ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ବିଦା କରାଯିବ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ସୋମବାର କହିଛନ୍ତି। ଏନ୍‌ଆର୍‌ସି ପ୍ରସଙ୍ଗ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ଭାଜପା ପାଇଁ ମହଙ୍ଗା ପଡିଲା ବୋଲି ରାଜ୍ୟର କେତେଜଣ ଭାଜପା ନେତା ଅଭିଯୋଗ କରୁଥିବାବେଳେ ଏହାକୁ ଶାହା ଖଣ୍ଡନ କରିଛନ୍ତି। ବିରୋଧୀ ଦଳଗୁଡିକର ଭିନ୍ନମତ ସତ୍ତ୍ୱେ ଦେଶବ୍ୟାପୀ ଏନ୍‌ଆର୍‌ସି କାର୍ଯ୍ୟକାରୀ କରାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଝାଡଖଣ୍ଡରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସାରା ଦେଶରେ ଏନ୍‌ଆର୍‌ସି କାର୍ଯ୍ୟକାରୀ ହୋଇଥିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।
ଏହି ଅବସରରେ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଥିଲେ। ସେ ରାହୁଲଙ୍କୁ ବ୍ୟଙ୍ଗ କରି କହିଥିଲେ, ରାହୁଲ ବାବା ବେଆଇନ ଅନୁପ୍ରବେଶକାରୀମାନଙ୍କୁ ବାହାର ନ କରିବା ପାଇଁ କହୁଛନ୍ତି। ସେମାନେ କୁଆଡେ ଯିବେ, କ’ଣ ଖାଇବେ କହିି କଂଗ୍ରେସ ନେତା ସେମାନଙ୍କ ପ୍ରତି ଦରଦ ଦେଖାଉଛନ୍ତି। ବେଆଇନ ଭାବେ ରହିଥିବା ଲୋକମାନେ ବିଦାହେବା ଉଚିତ ନୁହେଁ କି ବୋଲି ଶାହା ଝାଡ଼ଖଣ୍ଡର ବାହାରଗୋରା ସହରରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ପ୍ରଶ୍ନ କରିଥିଲେ। ଆତଙ୍କବାଦ, ମାଓବାଦର ମୂଳୋତ୍ପାଟନ, ଅଯୋଧ୍ୟାରେ ବିଶାଳ ରାମମନ୍ଦିର ନିର୍ମାଣ ଭଳି ଝାଡ଼ଖଣ୍ଡର ସ୍ଥାନୀୟ ସମସ୍ୟା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ବୋଲି ଭାଜପା ଅଧ୍ୟକ୍ଷ କହିଥିଲେ। ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିକୁ ବ୍ୟର୍ଥ କରିବା ପାଇଁ କଂଗ୍ରେସ ଉଦ୍ୟମ କରୁଥିଲା। ରାମ ଜନ୍ମଭୂମି ମାମଲାର ଶୁଣାଣି ଆବଶ୍ୟକ ନାହିଁ ବୋଲି କଂଗ୍ରେସ ନେତାମାନେ କହୁଥିଲେ। ତେବେ ଅଯୋଧ୍ୟାର ବିବାଦୀୟ ସ୍ଥଳରେ କେବଳ ରାମମନ୍ଦିର ନିର୍ମାଣ ଲାଗି କୋର୍ଟ ରାୟ ଦେଲେ। ଝାଡ଼ଖଣ୍ଡରେ କଂଗ୍ରେସ-ଜେଏମ୍‌ଏମ୍‌-ଆର୍‌ଜେଡି ମେଣ୍ଟକୁ ଶାହା କଡା ସମାଲୋଚନା କରିଥିଲେ। ଭାଜପା ସରକାର ଯୋଗୁ ଉକ୍ତ ରାଜ୍ୟରେ ମାଓବାଦୀ ଭୟ ଦୂର ହୋଇ ବିକାଶ ଆସିଥିବା ସେ କହିଥିଲେ। ସେଠାରେ କଂଗ୍ରେସ କ୍ଷମତାରେ ଥିଲାବେଳେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ଲାଠିଚାଳନା କରୁଥିଲା। ଏଭଳି ଦଳ ସହ ଜେଏମ୍‌ଏମ୍‌ କିପରି ହାତ ମିଳାଇଛି ବୋଲି ଶାହା ପ୍ରଶ୍ନ କରିଥିଲେ।

Share