Categories: ଖେଳ

୨୦୨୬ ଏସିଆନ ଗେମ୍ସରେ ସାମିଲ ହୋଇପାରେ ଖୋ ଖୋ

ନୂଆଦିଲ୍ଲୀ, ୧୬।୩ (ପି.ଟି.)- ପାରମ୍ପରିକ ଭାରତୀୟ କ୍ରୀଡ଼ା ଖୋ ଖୋ ୨୦୨୬ ଏସିଆନ ଗେମ୍ସରେ ସାମିଲ ହୋଇପାରେ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ସୋମବାର ଏହା ଆଶାପୋଷଣ କରିଛନ୍ତି। ‘୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସ ଅବସରରେ ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ ଦ୍ୱାରା ଖୋ ଖୋକୁ ଔପଚାରିକ ଭାବେ ମାନ୍ୟତା ପ୍ରଦାନ କରାଯାଇଥିଲା। ୨୦୨୬ ସଂସ୍କରଣରେ ଏହାକୁ ପୂର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇପାରେ ବୋଲି ଆଶାବାଦୀ। କମନ୍‌ଓ୍ବେଲ୍‌ଥ ଗେମ୍ସ ଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଖୋ ଖୋକୁ ବଢ଼ାଇବାକୁ ସ୍ବପ୍ନ ରଖିଛି’ ବୋଲି ମେହେଟ୍ଟା କହିଛନ୍ତି। ମେହେଟ୍ଟା ମଧ୍ୟ ଏସିଆନ୍‌ ଖୋ ଖୋ ମହାସଂଘର ସଭାପତି ରହିଛନ୍ତି। ବର୍ତ୍ତମାନ ଖୋ ଖୋ ୨୫ ଦେଶରେ ଖେଳାଯାଉଛି। ଅନ୍ତର୍ଜାତୀୟ ଖୋ ଖୋ ମହାସଂଘର ସଭାପତି ରହିଥିବା ସୁଧାଂଶୁ ମିତ୍ତଲ ମଧ୍ୟ ୨୦୨୨ ଏସିଆନ ଗେମ୍ସରେ ଏହାକୁ ସାମିଲ କରାଯିବା ନେଇ ଦୃଢ଼ ଆଶାବାଦୀ ରହିଛନ୍ତି। ପୂର୍ବରୁ ୩ଥର ଏସିଆନ ଖୋ ଖୋ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇସାରିଛି। ୧୯୯୬ ଓ ୨୦୧୬ ଭାରତରେ ଏବଂ ୨୦୦୦ରେ ବାଂଲାଦେଶରେ ଏହା ଆୟୋଜିତ ହୋଇଥିଲା। ଏହାର ୪ର୍ଥ ସଂସ୍କରଣ ଆସନ୍ତା ଅଗଷ୍ଟରେ ଭାରତରେ ହେବ ବୋଲି ଜଣାପଡ଼ିଛି। ସେହିଭଳି ଭାରତ ଓ ଇଂଲଣ୍ଡ ଏବଂ ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଖୋ ଖୋ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି। ଆଗକୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ ନେଇ ଯୋଜନା ରହିଛି। ନଭେମ୍ବର ୨୭ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ‘ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌’ ଅନୁଷ୍ଠିତ ହେବ ବୋଲି ମେହେଟା ଏହି ଅବସରରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବା ଲୋକପ୍ରିୟ ଖେଳ ଖୋ ଖୋ ୧୫ରୁ ୧୨ ମନୋନୀତ ଖେଳାଳିଙ୍କୁ ନେଇ ଖେଳାଯାଇଥାଏ।

Share