୨୦୭୭୧.୬୪ କୋଟି ସୁପାରିସ କଲେ ପଞ୍ଚମ ଅର୍ଥ କମିଶନ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପଞ୍ଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥା ପାଇଁ ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନ ବ୍ୟୟବରାଦ କରିଛନ୍ତି। ଏହି ସମୟରେ ଉକ୍ତ ସଂସ୍ଥାଗୁଡିକ ପାଇଁ ୫୦୨୮୨.୫୦ କୋଟି ଟଙ୍କା ଆକଳନ କରିଛନ୍ତି। ଏଥିମଧ୍ୟରୁ ୨୦୭୭୧.୬୪ କୋଟି ଟଙ୍କା ରାଜ୍ୟରେ ଏକତ୍ରିତ ପାଣ୍ଠିରୁ ପ୍ରଦାନ କରିବାକୁ କମିଶନ ସୁପାରିସ କରିଛନ୍ତି। ବାକି ୨୯୫୧୦.୮୬ କୋଟି ଟଙ୍କା ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ପୌରସଂସ୍ଥାଗୁଡିକୁ ପ୍ରଦାନ କରାଯିବ ବୋଲି ସୋମବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଞ୍ଚମ ଅର୍ଥ କମିଶନ ରିପୋର୍ଟ ଉପସ୍ଥାପନ ଅବସରରେ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ଅବଧିକୁ ଏକବର୍ଷ ବୃଦ୍ଧି କରିଛନ୍ତି। କମିଶନଙ୍କୁ ଦୁଇଟି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ପ୍ରଥମ ରିପୋର୍ଟ ୨୦୨୦-୨୧ ପାଇଁ ଏବଂ ଦ୍ୱିତୀୟ ରିପୋର୍ଟ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଉଦ୍ଦିଷ୍ଟ। ଅର୍ଥାତ୍‌ ପଞ୍ଚଦଶ ଅର୍ଥ କମିଶନ ୬ ବର୍ଷ ପାଇଁ ତାଙ୍କର ସୁପାରିସ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ପଞ୍ଚମ ଅର୍ଥ କମିଶନ ୨୦୨୦-୨୫ ପାଇଁ ବ୍ୟୟବରାଦ ସୁପାରିସ କରିଛନ୍ତି। ଉତ୍ତରାଧିକାରୀ ସୂତ୍ରେ ପ୍ରବର୍ତ୍ତନ ପାଣ୍ଠିରୁ ପଞ୍ଚାୟତିରାଜ ସଂସ୍ଥା ଓ ପୌରସଂସ୍ଥା ପାଇଁ ୨୦୨୦-୨୧ ନିମନ୍ତେ ୧୨୨୦.୧୪ କୋଟି ରାଜ୍ୟ ଦ୍ରବ୍ୟ ଓ ସେବା କର ଏବଂ ମୋଟରଯାନ ଟିକସକୁ ହସ୍ତାନ୍ତର ବାବଦରେ ୧୪୨୪.୪୪ ଏବଂ ପଞ୍ଚାୟତିରାଜ ସଂସ୍ଥା ଓ ପୌରସଂସ୍ଥା ପାଇଁ ଅନୁଦାନ ବାବଦରେ ୩୯୭୨.୩୮ କୋଟି ଟଙ୍କା ସୁପାରିସ କରିଛନ୍ତି। ସେହିପରି ୨୦୨୦-୨୧ ପାଇଁ ୩୯୭୨.୩୮ କୋଟି ଟଙ୍କା ସୁପାରିସ କରିଥିବାବେଳେ ୨୦୨୧-୨୨ ପାଇଁ ୪୧୧୩.୫୬, ୨୦୨୨-୨୩ ପାଇଁ ୪୧୨୨.୭୧, ୨୦୨୩-୨୪ ପାଇଁ ୪୨୨୫.୮୬, ୨୦୨୪-୨୫ ପାଇଁ ୪୩୩୭.୧୩ କୋଟି ଟଙ୍କା ସୁପାରିସ କରିଛନ୍ତି। ୨୦୨୦-୨୫ ମଧ୍ୟରେ ସର୍ବମୋଟ ୨୦୭୭୧.୬୪ କୋଟି ଟଙ୍କା ପଞ୍ଚମ ଅର୍ଥ କମିଶନ ସୁପାରିସ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ତ୍ରୟୋଦଶ ଅର୍ଥ କମିଶନବେଳେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ପୌରସଂସ୍ଥାଗୁଡିକ ପାଇଁ ୫୦୪୮.୧୦ କୋଟି ସୁପାରିସ କରିଥିବାବେଳେ ଚତୁର୍ଥ ଅର୍ଥ କମିଶନରେ ୧୨୭୪୦.୦୮ କୋଟି ସୁପାରିସ କରିଥିଲେ। ପଞ୍ଚମ ଅର୍ଥ କମିଶନରେ ୨୦୨୦-୨୬ ପାଇଁ ୨୩୮୪୮.୧୨ କୋଟି ସୁପାରିସ କରିଛନ୍ତି। ଏହି ସୁପାରିସର ଅଭିବୃଦ୍ଧି ହାର ୮୭.୧୯ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି।

Share