Categories: ଖେଳ

୨୦ କି.ମି. ଚାଲିରେ ଭାଓ୍ବାନାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ରାଞ୍ଚି,୧୫।୨(ପି.ଟି.)- ଭାରତୀୟ ଭାଓ୍ବାନା ଜଟ ୨୦ କିଲୋମିଟର ଚାଲି ଇଭେଣ୍ଟରେ ଜାତୀୟ ରେକର୍ଡ ଭଙ୍ଗ କରିବା ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ଜାତୀୟ ଚାମ୍ପିୟନଶିପରେ ରାଜସ୍ଥାନ ଆଥ୍‌ଲେଟ୍‌ ୨୦ କି.ମି. ଦୂରତାକୁ ୧ ଘଣ୍ଟା ୨୯ ମିନିଟ୍‌ ୫୪ ସେକେଣ୍ଡରେ ଶେଷ କରି ଏହି ସଫଳତା ପାଇଛନ୍ତି। ଅଲିମ୍ପିକ୍ସ ଲାଗି ଏହି ଇଭେଣ୍ଟରେ ୧:୩୧.୦୦ କ୍ୱାଲିଫାଇଂ ଟାଇମିଂ ଧାର୍ଯ୍ୟ କରାଯାଇଥିଲା। ଏହି ଇଭେଣ୍ଟରେ ପ୍ରିୟଙ୍କା ଗୋସ୍ବାମୀ ଅଳ୍ପକେ ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି। ତାଙ୍କୁ ରେସ୍‌ ଶେଷ କରିବା ପାଇଁ ୧:୩୧.୩୬ ଘଣ୍ଟା ଲାଗିଥିଲା। ଭାଓ୍ବାନାଙ୍କ ପ୍ରଦର୍ଶନରେ ଚମତ୍କାର ଉନ୍ନତି ଆସିଛି। ଗତବର୍ଷ ଏଠାରେ ଅନୁଷ୍ଠିତ ଜାତୀୟ ଓପନ ଚାମ୍ପିୟନଶିପବେଳେ ଭାଓ୍ବାନା ୧:୩୮.୩୦ ସେ. ଟାଇମିଂ ହାସଲ କରିଥିଲେ। ଗତବର୍ଷ ଅଗଷ୍ଟରେ ପୁଣେଠାରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ରେଲଓ୍ବେ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ ଭଓ୍ବନା ୧:୩୬.୧୭ ସେ.ରେ ରେସକୁ ଶେଷ କରିଥିଲେ। ବର୍ତ୍ତମାନ ଜୟପୁରଠାରେ କୋଚ୍‌ ଗୁର୍ମୁଖ ସିହାଗଙ୍କ ସହ ଟ୍ରେନିଂ କରୁଥିବା ଭାଓ୍ବାନା ଏପର୍ଯ୍ୟନ୍ତ କୌଣସି ଜୁନିୟର କିମ୍ବା ସିନିୟର ବର୍ଗର ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗ ନେଇନାହାନ୍ତି। ଏପରି କି ସେ କଦାପି ସାଇର ଜାତୀୟ କ୍ୟାମ୍ପରେ ସ୍ଥାନ ଭାଗ ନେଇ ନ ଥିଲେ। ସେ ସିନିୟର ବର୍ଗରେ ୨୦୧୬ରେ ଜାତୀୟ ଆନ୍ତଃ ରାଜ୍ୟ ଚାମ୍ପିୟନଶିପ୍‌ କ୍ୟାରିୟର ଆରମ୍ଭ କରିଥିଲେ। ସ୍ବପ୍ନ ସତ ହେଲା ଭଳି ଲାଗୁଛି। ମୁଁ ଟ୍ରେନିଂବେଳେ ୧:୨୭.୦୦ ସେ. ଟାଇମିଂ ହାସଲ କରୁଛି। ଯଦି ପରିସ୍ଥିତି ଭଲ ରୁହେ, ତେବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିବି ମୋର ବିଶ୍ୱାସ ଥିଲା। ମୋ କୋଚ୍‌ଙ୍କ ସହ ଗତ କିଛି ମାସ ହେଲା କଠିନ ପରିଶ୍ରମର ଏହା ଫଳ ବୋଲି ଭାରତୀୟ ରେଲ୍‌ଓ୍ବେରେ ଟିଟିଇ ଭାବେ କାର୍ଯ୍ୟରତ ଭାଓ୍ବାନା କହିଛନ୍ତି। ପୂର୍ବରୁ କେ. ଟି. ଇର୍ଫାନ (ପୁରୁଷ ୨୦ କି. ମି. ଚାଲି ରେସ), ଅବିନାଶ ସାବଲେ (ପୁରୁଷ ୩ ହଜାର ମି. ଷ୍ଟିପଲ ଚେଜ), ମିକ୍ସଡ୍‌ ୪ ଗୁଣା ୪୦୦ ମି. ରିଲେ ଦଳ ଓ ନୀରଜ ଚୋପ୍ରା (ପୁରୁଷ ଜାଭେଲିନ) ଆଦି ଟ୍ରାକ-ଫିଲ୍ଡ ଆଥ୍‌ଲେଟ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି।

Share