Categories: ବାଣିଜ୍ୟ

୨୦ ଜଣଙ୍କ ନାମରେ ଲୁକ୍‌ଆଉଟ ନୋଟିସ ଜାରି କଲା ଏମ୍‌ସିଏ

ନୂଆଦିଲ୍ଲୀ,୨୯-୫: କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ସିଏ) ୨୦ ଜଣ ପ୍ରମୋଟର ଓ ଡାଇରେକ୍ଟରଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ୍‌ ଜାରି କରିଛି। ସେମାନଙ୍କ ମଧ୍ୟରେ ଜେଟ୍‌ ଏୟାରଓ୍ବେଜ୍‌ ପ୍ରମୋଟର ନରେଶ ଗୋୟଲଙ୍କ ନାମ ମଧ୍ୟ ସାମିଲ ରହିଛି। ଶନିବାର ଗୋୟଲ ତାଙ୍କ ସ୍ତ୍ରୀ ଅନୀତାଙ୍କ ସହ ଦୁବାଇ ବାଟେ ଲଣ୍ଡନ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ରୋକାଯାଇଥିଲା। ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ବିରୋଧରେ ଲୁକ୍‌ଆଇଟ ନୋଟିସ ଜାରି କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋକୁ ଲୁକ୍‌ଆଉଟ ନୋଟିସ ଜାରି କରିବା ଲାଗି ଏମ୍‌ସିଏ ପକ୍ଷରୁ ୨୦ ଜଣଙ୍କ ନାମ ଦିଆଯାଇଥିଲା। ତଦନ୍ତ ଚାଲିଥିବା ଅଥବା ବିଦେଶ ପଳାଇଯିବାର ସମ୍ଭାବନା ଥିବାରୁ ସେମାନଙ୍କ ବିରୋଧରେ ଏହି ନୋଟିସ୍‌ ଜାରି କରାଯାଇଛି। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସର୍କୁଲାରରେ ସଂଶୋଧନ କରିଛନ୍ତି। ତଦନୁଯାୟୀ, ଏଣିକି ରାଷ୍ଟ୍ରାୟତ୍ତ ସଂସ୍ଥାର ସିଇଓମାନେ ମଧ୍ୟ ଲୁକ୍‌ଆଉଟ ନୋଟିସ ଜାରି କରିବା ଲାଗି ଅନୁରୋଧ କରିପାରିବେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଋଣ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟରତ ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟରଙ୍କ ବିରୋଧରେ ଏମ୍‌ସିଏ ଲୁକ୍‌ଆଉଟ ନୋଟିସ୍‌ ଜାରି କରିଛି।

Share