ଯୁକ୍ତ ୨ ପରୀକ୍ଷା କେନ୍ଦ୍ର ଚୟନରେ ଅନିୟମିତତା ପ୍ରସଙ୍ଗ: ୨୦ ପରୀକ୍ଷା କେନ୍ଦ୍ର ବଦଳାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ନେଇ ଗତ ୭ତାରିଖରେ ଅନୁଷ୍ଠିତ ପରୀକ୍ଷା ପରିଚାଳନା କମିଟି ବୈଠକରେ ୬ଜଣ ସଦସ୍ୟ ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ନାନା ବାଦ ବିବାଦ ଦେଖାଯିବା ପରେ ରବିବାର ପୂର୍ବରୁ ଚୂଡାନ୍ତ ହୋଇସାରିଥିବା ପରୀକ୍ଷା କେନ୍ଦ୍ର ତାଲିକାରେ ପରିବର୍ତ୍ତନ କରାଯାଇଛି। ରାଜ୍ୟର ଚୟନ ହୋଇଥିବା ୧୧୪୨ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୨୦ କେନ୍ଦ୍ର ବଦଳାଯିବାକୁ ନିଷ୍ପତ୍ତି ହୋଇଥିବା ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ସୂଚନା ଦେଇଛନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ ବସିଥିବା ପରୀକ୍ଷା ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହାସହ ପୂର୍ବରୁ କପି ହୋଇଥିବା କଲେଜରେ ଯେପରି ପରୀକ୍ଷା କେନ୍ଦ୍ର ନ ହେବ ସେନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
କମିଟି ସଦସ୍ୟ ତଥା ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି ଯେ, ଯେଉଁ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା ସେଥିରୁ ୨୦ଟି ବଦଳାଇବାକୁ ସ୍ଥିର ହୋଇଛି। ବହୁତ ଆବାସିକ ମହାବିଦ୍ୟାଳୟକୁ ଏଥର ପରୀକ୍ଷା କେନ୍ଦ୍ର ତାଲିକାରେ ରଖାଯାଇଥିଲା। ଅପରପକ୍ଷରେ ଅନେକ ସରକାରୀ ଏବଂ ଭଲ କଲେଜକୁ ଜାଣିଶୁଣି ବାଦ୍‌ ଦିଆଯାଇଥିଲା। ଏନେଇ ଆପତ୍ତି ଉଠାଇବା ପରେ ଏଥିରେ ସଂଶୋଧନ କରିବା ପାଇଁ ସ୍ଥିର ହୋଇଛି ଏବଂ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି। କପି ହେଉଥିବା କେନ୍ଦ୍ରରେ ଯେପରି ପରୀକ୍ଷା ନ ହେବ ଏବଂ ପିଲାମାନେ ଭଲରେ ପରୀକ୍ଷା ଦେଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ମହାନ୍ତି କହିଛନ୍ତି।
ଗତ ବୈଠକରେ କମିଟି ସଦସ୍ୟ ଅଭିଯୋଗ କରିଥିଲେ ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କିଛି ଅସାଧୁ କର୍ମଚାରୀ ଟଙ୍କା ଖାଇ ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି କରିଛନ୍ତି। ପରୀକ୍ଷା ପରିଚାଳନା କମିଟି ଯେଉଁ ପରୀକ୍ଷା କେନ୍ଦ୍ର ତାଲିକା ପ୍ରସ୍ତୁତ କରିଥିଲା ତାହା ପରିବର୍ତ୍ତନ କରାଯାଇ ଆଉ ଏକ ନୂଆ ତାଲିକା ପ୍ରକାଶ କରାଯାଇଥିଲା। ଯେଉଁ କଲେଜଗୁଡିକରେ ପୂର୍ବବର୍ଷ କପି ହୋଇନାହିଁ କିମ୍ବା ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯାଇନାହିଁ ସେଠାରେ ଏଥର ପରୀକ୍ଷା କେନ୍ଦ୍ର କରିବା ଲାଗି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର କମିଟି ପ୍ରସ୍ତାବକୁ ବେଖାତିର କରି ମନଇଚ୍ଛା ପୁରୁଣା ତାଲିକାକୁ ବଦଳାଇ ଦେବା ସହିତ ନୂଆ ପରୀକ୍ଷା କେନ୍ଦ୍ର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏପରିକି କମିଟି ସଦସ୍ୟଙ୍କୁ ମଧ୍ୟ ଜଣାଇ ଦିଆଯାଇ ନ ଥିଲା ବୋଲି ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ବିରୋଧ କରି ୪ ଅଧ୍ୟାପକଙ୍କ ସହ ଦୁଇ ବିଧାୟକ ବୈଠକ ଅଧାରୁ ଉଠିଆସିଥିଲେ। ପ୍ରକାଶ ଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା କମିଟିର ୧୦ଜଣ ସଦସ୍ୟ ମଧ୍ୟରୁ ଦୁଇଜଣ ବିଧାୟକ, ୪ଜଣ କଲେଜ ଅଧ୍ୟାପକ ଏବଂ ୪ଜଣ ସରକାରୀ ଅଧିକାରୀ ଅଛନ୍ତି।

Share