୨୦ ଫୁଟ ଗଭୀର କୂଅରେ ଖସିପଡ଼ିିଥିବା ଭାଲୁ ଉଦ୍ଧାର

ଛେଣ୍ଡିପଦା,୧୨।୮(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର କୋଶଳା ନିକଟସ୍ଥ ଭାଗଲାକଟା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ କୂଅ ଭିତରେ ଭାଲୁ ପଡ଼ିଥିଲା। ନିକଟସ୍ଥ କୋଶଳା ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ଆସିଥିବା ଭାଲୁଟି ଭାଗଲାକଟା ଗ୍ରାମର ବିକ୍ରମ ସାହୁଙ୍କ ପୋଟଳ ବଗିଚାରେ ଥିବା ୨୦ଫୁଟର ଗଭୀର ଖୋଲା ଶୁଖିଲା କୂଅ ଭିତରେ ଖସି ପଡ଼ିଥିଲା। ବିକ୍ରମଙ୍କ ପରିବାର ଲୋକେ ସୋମବାର ସକାଳେ ବଗିଚାକୁ ପୋଟଳ ତୋଲିବା ପାଇଁ ଆସିଥିବା ବେଳେ ଭାଲୁଟି କୂଅରେ ପଡ଼ିଥିବା ଦେଖିଥିଲେ। ଏ ନେଇ ଗ୍ରାମବାସୀଙ୍କୁ କହିବା ସହିତ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁ ଓ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ଉଦ୍ୟମ ପରେ ଏକ ଶିଡ଼ି ସାହାଯ୍ୟରେ ଭାଲୁଟିକୁ ଉଦ୍ଧାର କରିବାରେ ବିଭାଗୀୟ କର୍ମଚାରୀମାନେ ସକ୍ଷମ ହୋଇଛନ୍ତି।